ଭୁବନେଶ୍ବର : ସରକାର କହୁଛନ୍ତି ଶଯ୍ୟା ଖାଲି ରହିଛି, କିନ୍ତୁ ସରକାରୀ ଡାକ୍ତରଖାନାରେ ଶଯ୍ୟା ଖାଲି ନାହିଁ। ଘରୋଇ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ହେଉଛି। ଏପରିକି ରୋଗୀଙ୍କ ସମ୍ପର୍କରେ ଠିକ ଭାବରେ ସୂଚନା ମିଳୁନି। ଏଥିଯୋଗୁଁ ଗୋଟିଏ ଦିନରେ ବାପା, ଭାଇଙ୍କୁ ହରାଇଥିବା ଅଭିଯୋଗ କରିଛନ୍ତି ପୋଖରୀପୁଟର ତୁଷାର ପଟ୍ଟନାୟକ।

ସେ କହିଛନ୍ତି, କିଛି ଦିନ ପୂର୍ବରୁ ତାଙ୍କ ବାପା ତଥା ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ(୬୫), ଭାଇ ଲଲାଟେନ୍ଦୁ ପଟ୍ଟନାୟକ(୩୪) କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଅଚାନକ ସେମାନଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ପାଇଁ ତୁଷାର ପ୍ରଥମେ ସରକାରୀ ଡାକ୍ତରଖାନା ସହିତ ଯୋଗାଯୋଗ କଲେ। କୌଣସି ସରକାରୀ ଡାକ୍ତରଖାନାରେ ଶଯ୍ୟା ଖାଲି ନଥିଲା। ଘରୋଇ ଡାକ୍ତରଖାନା ସହିତ ଯୋଗାଯୋଗ ପରେ ବହୁ କଷ୍ଟରେ ଭାଇଙ୍କୁ ରାଜ୍ୟର ଏକ ପ୍ରମୁଖ ଘରୋଇ ଡାକ୍ତରଖାନା, ବାପାଙ୍କୁ ଆଉ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ବାପାଙ୍କ ବିଷୟ ଜାଣିବା ପାଇଁ ୩ଟି ହେଲ୍ପ ଲାଇନ ନମ୍ବର ଦିଆଯାଇଥିଲା। ମାତ୍ର ସେ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ ଅଧିକାଂଶ ସମୟରେ କେହି ରିସିଭ କରନ୍ତି ନାହିଁ। ରିସିଭ କଲେ ମଧ୍ୟ ରୋଗୀଙ୍କୁ ନେଇ ସ୍ପଷ୍ଟ ସୂଚନା ଦେଇ ପାରନ୍ତି ନାହିଁ। ଡାକ୍ତରଖାନାରେ କ’ଣ ଚିକିତ୍ସା ହେଲା ସେ ଜାଣିପାରିଲେ ନାହିଁ, ଶେଷରେ ଗୋଟିଏ ଦିନରେ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ ତୁଷାର ଅଭିଯୋଗ କରିଛନ୍ତି।

ଏହା ପ୍ରଥମ ଅଭିଯୋଗ ନୁହେଁ, ଏହା ପୂର୍ବରୁ ବିଭିନ୍ନ ସମୟରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଅବହେଳା, ଆଇସିୟୁ ଅଭାବ ଯୋଗୁଁ ରୋଗୀ ମୃତ୍ୟୁକୁ ନେଇ ଅଭିଯୋଗ ହୋଇଛି।

The post ସରକାରୀ ଡାକ୍ତରଖାନାରେ ଶଯ୍ୟା ନାହିଁ, ଘରୋଇରେ ଚିକିତ୍ସା ଅବହେଳା! first appeared on Sambad.

from କରୋନା | Sambad https://ift.tt/3ugeleN