ଭୁବନେଶ୍ବର : ସୋମବାର ରାଜଧାନୀର ବିଭିନ୍ନ ହସ୍ପିଟାଲରେ ସବୁଠୁ ଅଧିକ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଏପରିକି ସତ୍ୟନଗର ଶ୍ମଶାନରେ ଶବଦାହ ପାଇଁ ଜାଗା ନମିଳିବାରୁ ବହୁ ମୃତଦେହ କୋଭିଡ୍‌ ହସ୍ପିଟାଲରୁ ଆସି ପାରିନାହିଁ।

ସୋମବାର ସତ୍ୟନଗର ଶ୍ମଶାନରେ ରାତି ୯ଟା ସୁଦ୍ଧା ପ୍ରାୟ ୪୦ଜଣଙ୍କ ଶବଦାହ ହୋଇଥିବା ବେଳେ ଆଉ ୭ରୁ ୮ଟି ଶବ ଦାହ ପାଇଁ ଧାଡ଼ିରେ ରଖାଯାଇଥିଲା। ସଂଧ୍ୟାରେ ହସ୍ପିଟାଲରେ କିଛି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲେ ହେଁ ଆଜି ଦାହ କରିବା ସମ୍ଭବ ନଥିବାରୁ ଶବ ଆସି ପାରିବନି ବୋଲି ମଶାଣି କର୍ମଚାରୀ ଲୋକମାନଙ୍କୁ କହିଥିଲେ। ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଦର୍ଶାଇ ଦେଉଛି ଯେ କରୋନା କିଭଳି ଭୟଙ୍କର ରୂପ ଧାରଣ କଲାଣି। କିଛି ଦିନ ହେଲା ମୃତକଙ୍କ ସଂଖ୍ୟା ଲଗାତାର ବଢ଼ି ଚାଲିଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି। ଗତବର୍ଷ କେବେ ବି ଦୈନିକ ମୃତକଙ୍କ ସଂଖ୍ୟା ୫୦ ଟପି ନଥିବା ବେଳେ ଆଜି ତାହା ଅତିକ୍ରମ କରିଯାଇଛି।

ଆଜି ସଂଧ୍ୟାରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ସେମାନେ ବିଏମ୍‌ସିକୁ ମୃତକଙ୍କ ସବିଶେଷ ସୂଚନା ପଠାଇ ଦେଇଥିଲେ। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଗୋଟିଏ ମଶାଣିରେ ସୀମିତ କର୍ମଚାରୀଙ୍କୁ ‌ନେଇ ଏତେ ଶବଦାହ କରିବା ସମ୍ଭବ ନଥିବା କହି ଆଜି ମୃତଦେହ ଗ୍ରହଣ କରନଥିଲେ। ସଂଧ୍ୟା ପରେ ପ୍ରାୟତଃ କୌଣସି ହସ୍ପିଟାଲରୁ ମୃତଦେହ ଗ୍ରହଣ କରାଯାଇନି। ମଙ୍ଗଳବାର ଏହି ସବୁ ମୃତକଙ୍କର ଶବଦାହ ହେବ ବୋଲି ଜଣାପଡ଼ିଛି।

ବିଏମ୍‌ସି ପାଇଁ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ଏବେ କାଠିକାର ପାଠ ହୋଇଗଲାଣି। ଯେଉଁଥିପାଇଁ ହସ୍ପିଟାଲରେ ଏବେ ମୃତଦେହ ୧୨ରୁ ୧୫ଘଣ୍ଟା ପଡ଼ି ରହୁଛି। ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ଆକ୍ରାନ୍ତଙ୍କ ଶବଦାହ କରିବା ପାଇଁ ହସ୍ପିଟାଲ ବାହାରେ ଓ ସତ୍ୟନଗର ଶ୍ମଶାନରେ ଅଧିଅା ପଡ଼ିବା ଭଳି ଅପେକ୍ଷା କରୁଛନ୍ତି। କିନ୍ତୁ ରାଜଧାନୀରେ ସ୍ଥିତି ଏତେ ଭୟଙ୍କର ହେବାରେ ଲାଗିଛି ଯେ ବିଏମ୍‌ସି କର୍ତ୍ତୃପକ୍ଷ ନାଚାର ପାଲଟି ଯାଇଛନ୍ତି।

The post ସତ୍ୟନଗର ଶ୍ମଶାନ ସ୍ଥିତି ଅସମ୍ଭାଳ: ଆଜି ୫୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ! first appeared on Sambad.

from କରୋନା | Sambad https://ift.tt/3h3ZWyn