ନୂଆଦିଲ୍ଲୀ: କଂଗ୍ରେସ ଅଭିଯୋଗ କରିବା କ୍ଷଣି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପୋଷ୍ଟ୍‌ କରିଥିବା ‘ଟୁଲ୍‌କିଟ୍‌’କୁ ଟୁଇଟର୍‌ ‘ମେନିପ୍ୟୁଲେଟେଡ୍‌ ମିଡିଆ’ ଭାବେ ଚିହ୍ନିତ କରିଛି।

ବିଜେପିର ମୁଖପାତ୍ରଙ୍କ ବିରୋଧରେ କଂଗ୍ରେସ ‘ଟୁଇଟର୍‌’ ମୁଖ୍ୟାଳୟରେ ମିଥ୍ୟାରୋପ ଅଭିଯୋଗ ଉଠାଇଥିଲା। କଂଗ୍ରେସଦ୍ବାରା ପ୍ରସାରଣ କରାଯାଉଥିବା ଅଭିଯୋଗ କରି ମେ ୧୮ ତାରିଖ ଦିନ ସମ୍ବିତ ପାତ୍ର ଟୁଇଟ୍‌ର୍‌ରେ ପୋଷ୍ଟ୍‌ କରାଯାଇଥିବା କେତେକ କାଗଜପତ୍ରର ସ୍କ୍ରିନ୍‌ସଟ୍‌ ନେଇ ପୁଣି ‘ଟୁଇଟ୍‌’ କରିଥିଲେ। କୋଭିଡ୍‌-୧୯ ମହାମାରୀ ସମୟରେ ମୋଦୀ ସରକାରଙ୍କୁ ବଦନାମ କରିବା ପାଇଁ କଂଗ୍ରେସର ଟୁଇଟ୍‌ ଗୋଟାଏ ‘ଟୁଲ୍‌କିଟ୍’ ବୋଲି ସମ୍ବିତ ଦାବି କରିଥିଲେ।

Image Courtesy of Free Press Journal

ବିଜେପି ମୁଖପାତ୍ରଙ୍କ ଦ୍ବାରା ପୋଷ୍ଟ୍‌ କରାଯାଇଥିବା ଏହି ବିବାଦୀୟ ପୋଷ୍ଟ୍‌ରେ ଅଭିଯୋଗ ହୋଇଥିଲା କି, ମହାମାରୀ ସମୟରେ କୋଭିଡ୍‌ ରିଲିଫ୍ କାର୍ଯ୍ୟ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ବଦନାମ କରିବା ଲାଗି କଂଗ୍ରେସ ‘ଆଡ୍‌ଭାଇଜରି’ ଆକାରରେ ଏଭଳି କାଗଜପତ୍ର ପ୍ରସାରଣ କରୁଛି। ସେ ଆହୁରି ମଧ୍ୟ କହିଥିଲେ କି, କଂଗ୍ରେସର ଏହି ‘ଟୁଲ୍‌କିଟ୍‌’ ଭାରତ ବିରୋଧୀ ଖବର ପ୍ରକାଶ ପାଇଁ ବିଦେଶୀ ଗଣମାଧ୍ୟମଗୁଡ଼ିକୁ ମଧ୍ୟ ସହଯୋଗ କରୁଛି।

କଂଗ୍ରେସର ଅଭିଯୋଗ ପରେ ସମ୍ପ୍ରତି ସମ୍ବିତଙ୍କ ଟୁଇଟ୍‌କୁ ପ୍ରସାରଣ କିଂବା ରି-ଟୁଇଟ୍‌ କରିବାକୁ ଚେଷ୍ଟା କରୁଥିବା ବ୍ୟବହାରକାରୀଙ୍କ ନିମନ୍ତେ ସେଥିରେ ‘ମେନିପ୍ୟୁଲେଟେଡ୍‌ ମିଡିଆ’ ଲେଖି ସତର୍କସୂଚନା ଜାରି କରିଛି। ବିଭ୍ରାନ୍ତି ସୃଷ୍ଟି କରିବା ଲାଗି ପରିବର୍ତ୍ତନ କରାଯାଇଥିବା ‘ଭିଡିଓ’, ‘ଅଡିଓ’ ଏବଂ ‘ଫଟୋ’ ଭଳି ଟୁଇଟ୍‌ଗୁଡ଼ିକୁ ‘ମେନିପ୍ୟୁଲେଟେଡ୍‌ ମିଡିଆ’ ଚିହ୍ନିତ କରାଯିବ ବୋଲି ଟୁଇଟର୍‌ ନିୟମାବଳୀରେ ଉଲ୍ଲେଖ ରହିଛି।

The post ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ କଂଗ୍ରେସ ‘ଟୁଲ୍‌କିଟ୍‌’ ପୋଷ୍ଟ୍‌କୁ ‘ମେନିପ୍ୟୁଲେଟେଡ୍‌ ମିଡିଆ’ ଭାବେ ଚିହ୍ନିତ କଲା ଟୁଇଟର୍‌ first appeared on Sambad.

from କରୋନା | Sambad https://ift.tt/3hMRkwr