ନୂଆଦିଲ୍ଲୀ: ଅଗଷ୍ଟ ସୁଦ୍ଧା ବ୍ରିଟେନ୍‌ରେ ଆଉ ନୂତନ ପ୍ରଜାତିର କରୋନାଭାଇରସ୍‌ ସଂକ୍ରମଣ‌ ହେବ ନାହିଁ ବୋଲି ଶୁକ୍ରବାର ଦିନ ସେଠାକାର ସରକାରଙ୍କର ବିଦାୟୀ ‘ଭ୍ୟାକ୍ସିନ୍‌ ଟାସ୍କ୍‌ ଫୋର୍ସ’ ମୁଖ୍ୟ କ୍ଲାଇଭ୍‌ ଡିକ୍ସ୍‌ ଦୈନିକ ‘ଟେଲିଗ୍ରାଫ୍‌’କୁ କହିଛନ୍ତି।

ସେ କହିଛନ୍ତି, ଅଗଷ୍ଟ ମାସ ବେଳକୁ ଇଂଲଣ୍ଡ୍‌ରେ ଆଉ ଏହି ସଂକ୍ରମଣଶୀଳ ଭୂତାଣୁ ନ ଥିବ। ‘ଭ୍ୟାକ୍ସିନ୍ ବୁଷ୍ଟର୍‌ ପ୍ରୋଗ୍ରାମ୍‌’ ୨୦୨୨ ପ୍ରାରମ୍ଭ ବେଳକୁ ସ୍ଥଗିତ ରଖିହେବ।

ସଂକ୍ରମିତ ହେବେ ବୋଲି ଆଶଙ୍କ କରାଯାଉଥିବା ଲୋକମାନଙ୍କୁ ଏ ବର୍ଷ ଶେଷ ଆଡ଼କୁ କେଉଁ ଟିକା ‘ସର୍ବୋତ୍ତମ ବୁଷ୍ଟର୍‌’ ଭାବେ ଦିଆଯିବ, ତାହା ସରକାର ଅନୁଧ୍ୟାନ କରୁଛନ୍ତି।

‘ଟେଲିଗ୍ରାଫ୍‌’କୁ କ୍ଲାଇଭ୍‌ ଡିକ୍ସ୍‌ କହିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା ଇଂଲଣ୍ଡ୍‌ର ସବୁ ଲୋକ ଅନ୍ୟୂନ ଥରେ ଟିକା ନେଇ ଯିବେ ବୋଲି ତାଙ୍କର ଆଶା। ସମ୍ଭବତଃ ସେତେବେଳକୁ ଆମେ ଜନସାଧାରଣଙ୍କୁ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ସମସ୍ତ ପ୍ରକାର ଭୂତାଣୁ କବଳରୁ ସୁରକ୍ଷା ଦେଇ ସାରିଥିବୁ।

Image Courtesy of India Today

ଏଯାବତ୍‌ ଇଂଲଣ୍ଡ୍‌ ୫୧ ନିୟୁତରୁ ଅଧିକ ଡୋଜ୍‌ ଟିକା ଦେଇ ସାରିଲାଣି। ଦେଶର ଅନ୍ୟୂନ ଅର୍ଦ୍ଧେକ ପ୍ରାପ୍ତ ବୟସ୍କ ଜନତାଙ୍କୁ ଟିକା ଦେବାରେ ଇଂଲଣ୍ଡ ହେଉଛି ବିଶ୍ବର ଦ୍ବିତୀୟ ତ୍ବରିତ ଦେଶ।

ବ୍ରିଟିସ୍‌ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ରକ୍ତ ଜମାଟ ବାନ୍ଧିବାର ସାମନ୍ୟ ଆଶଙ୍କା ଥିବାରୁ ୪୦ ବ‌ର୍ଷରୁ କମ୍ ବୟସ୍କ ବ୍ୟକ୍ତିବିଶେଷଙ୍କୁ ‘ଅକ୍ସଫୋର୍ଡ/ଆଷ୍ଟ୍ରାଜେନିକା’ କୋଭିଡ୍‌-୧୯ ଟିକାର ବିକଳ୍ପ ଦିଆଯିବ।

‘ଜଏଣ୍ଟ୍ କମିଟି ଅନ୍‌ ଭ୍ୟାକ୍ସିନେସନ୍‌ ଆଣ୍ଡ୍‌ ଇମ୍ୟୁନାଇଜେସନ୍‌’ (ଜେସିଭିଆଇ) କହିଛି ଯେ, ଉପରୋକ୍ତ ପରାମର୍ଶ ବ୍ରିଟେନ୍‌ରେ ନିମ୍ନ ସ୍ତରର କୋରୋନାଭାଇରସ୍‌ ସଂକ୍ରମଣ କଥା ପ୍ରତିଫଳନ କରିବା ସହ ‘ଫାଇଜର୍‌’ ଏବଂ ‘ମଡର୍ଣ୍ଣା’ ନିର୍ମିତ ଟିକା ଉପଲବ୍ଧ ହେବା କଥା ସୂଚାଉଛି।

ଗତ ଡିସେମ୍ବର ମାସରେ ‘ଟାସ୍କ୍‌ ଫୋର୍ସ’ର ଅସ୍ଥାୟୀ ମୁଖ୍ୟ ଭାବେ ନିଯୁକ୍ତ କ୍ଲାଇଭ୍‌ ଡିକ୍ସ୍‌ ଗତ ସପ୍ତାହରେ ଇସ୍ତଫା ଦେଇଛନ୍ତି।

The post ଅଗଷ୍ଟ ସୁଦ୍ଧା ବ୍ରିଟେନ୍‌ କରୋନାଭାଇରସ୍‌ ମୁକ୍ତ ହେବ: ରିପୋର୍ଟ first appeared on Sambad.

from କରୋନା | Sambad https://ift.tt/3xXDTj2