
ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ହେତୁ ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍ଡାଉନ୍’ ଘୋଷଣା କରିଛନ୍ତି।
ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍ଡାଉନ୍’ ପାଇଁ ଆଦେଶ ଦେଇଛନ୍ତି।
ଏକ ବିବୃତିରେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କହିଛନ୍ତି ଯେ, ‘ଅନିର୍ବାର୍ଯ୍ୟ କାରଣବଶତଃ’ ଏହି ‘ଲକ୍ଡାଉନ୍’ ଜାରି କରାଯାଇଛି। ମେ ୧୦ ତାରିଖ ପାହାନ୍ତ ୪ଟାରୁ ମେ ୨୪ ତାରିଖ ପାହାନ୍ତା ୪ଟା ପର୍ଯ୍ୟନ୍ତା ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍ଡାଉନ୍’ ବଳବତ୍ତର ରହିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ଜିଲ୍ଲାପାଳମାନଙ୍କ ସହ ତାଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରୁ ମିଳିଥିବା ତଥ୍ୟ ଓ ମତାମତ ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡାକ୍ତରୀ ବିଶେଷଜ୍ଞଙ୍କମାନେ ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ।
ଏହି ‘ଲକ୍ଡାଉନ୍’ ଘୋଷଣା ହେଉଛି ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏମ୍.କେ. ଷ୍ଟାଲିନ୍ଙ୍କଦ୍ବାରା ଗୃହୀତ ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।
ସୂଚନାଯୋଗ୍ୟ, କୋଭିଡ୍ କଟକଣା ନ ମାନି ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ରାଲି କରାଇବା କାରଣରୁ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଇଥିବା କୁହାଯାଉଛି। ଏଥିପାଇଁ ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିସନ୍କୁ ତୀବ୍ର ସମାଲୋଚନା କରିଥିଲେ।
The post ସୋମବାର ଠାରୁ ତାମିଲନାଡୁରେ ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ first appeared on Sambad.from କରୋନା | Sambad https://ift.tt/3tyYJ4B
0 Comments