
ସମ୍ବଲପୁର : ବୁର୍ଲା ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ରେ ଜଣେ ଚିକିତ୍ସାଧୀନ ନର୍ସଙ୍କୁ ଜବରଜସ୍ତ ରେମ୍ଡେସିଭିର ଇନ୍ଜେକ୍ସନର ଦ୍ବିତୀୟ ଡୋଜ୍ ଦେବାକୁ ନେଇ ମଙ୍ଗଳବାର ରାତିରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଶତାଧିକ ଲୋକ କୋଭିଡ୍ ହସ୍ପିଟାଲ୍କୁ ଧସେଇ ପଶିବା ସହ ପାଟିତୁଣ୍ଡ କରିଥିଲେ। ଏହି ଘଟଣାରେ ଇନ୍ଜେକସନ୍ ଦେବାକୁ ଉଦ୍ୟମ କରିଥିବା ନର୍ସଙ୍କୁ କାର୍ଯ୍ୟରୁ ବିଦା କରାଯାଇଛି। ଏ ନେଇ ଭିମ୍ସାର୍ ପ୍ରାଶାସନିକ ଅଧିକାରୀ ଏକ ଚିଠି ଜାରି କରି ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଶେଷ ହେବା ଯାଏ ତାଙ୍କୁ କାର୍ଯ୍ୟରୁ ବାହାର କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଭିମ୍ସାର୍ କାର୍ଡିଓଲୋଜି ବିଭାଗରେ କାର୍ଯ୍ୟରତ ଜଣେ ନର୍ସ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ବୁର୍ଲା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁର୍ଲା ବିଷ୍ଣୁ ମନ୍ଦିରପଡ଼ା ବାସିନ୍ଦା ଏହି ନର୍ସଙ୍କୁ ମଙ୍ଗଳବାର ସକାଳେ ରେମ୍ଡେସିଭିର ଇନ୍ଜେକ୍ସନ ଦିଆଯାଇଥିଲା। ରାତି ୧୦ଟା ସମୟରେ ପୁଣି ତାଙ୍କୁ କାର୍ଯ୍ୟରତ ଜଣେ ନର୍ସ ଏହି ଇଞ୍ଜେକ୍ସନ୍ ଦେବାକୁ ଯାଇଥିଲେ। ଦିନକୁ ଏହି ଇନ୍ଜେକ୍ସନ ଗୋଟିଏ ଦିଆଯିବାକୁ ଥିବା ବେଳେ ସକାଳେ ଦିଆଯାଇଥିବାରୁ ଆଉ ଥରେ ନଦେବାକୁ ଚିକିତ୍ସାଧୀନ ନର୍ସ ଜଣକ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ତାପରେ ସଂପୃକ୍ତ ନର୍ସ ଜଣକ ତାଙ୍କ ପୁଅକୁ ଫୋନ୍ କରି ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଏହା ଜଣାପଡ଼ିବା ପରେ ବୁର୍ଲା ବିଷ୍ଣୁମନ୍ଦିରପଡ଼ାରେ ଉତ୍ତେଜନା ପ୍ରକାଶ ପାଇବା ସହ ଶତାଧିକ ଲୋକ କୋଭିଡ୍ ହସ୍ପିଟାଲ ସମ୍ମୁଖକୁ ଆସି ପାଟିତୁଣ୍ଡ କରିଥିଲେ। ସେମାନଙ୍କ କଥା ଶୁଣିବାକୁ କେହି ନଆସିବାରୁ ଶତାଧିକ ଲୋକ କୋଭିଡ୍ ହସ୍ପିଟାଲ୍ ଭିତରକୁ ଧସେଇ ପଶିଥିଲେ।
The post ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ଉତ୍ତେଜନା ଘଟଣା: କାର୍ଯ୍ୟରୁ ବିଦା ହେଲେ ନର୍ସ first appeared on Sambad.from କରୋନା | Sambad https://ift.tt/3ox0U7X
0 Comments