
ରାୟଗଡ଼ା: ରାୟଗଡ଼ାର ବି. ଭେଙ୍କେଟେଶ୍। ବୃତ୍ତିରେ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ଲେସମେଣ୍ଟ୍ ଅଫିସର୍। କରୋନା କଟକଣା ପାଇଁ କଲେଜ ବନ୍ଦ ଥିବାରୁ ମହାମାରୀ ସମୟରେ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବା ଏବେ ଭେଙ୍କେଟେଶଙ୍କ ପାଇଁ ନିଶା ପାଲଟିଛି। ନିଜେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଭେଙ୍କେଟେଶ ଏବେ ପ୍ଲାଜମା ଦାନ ଦିଗରେ କାମ କରୁଛନ୍ତି। ଏପରିକି ଗତ ମାସକ ମଧ୍ୟରେ ୩ ଥର ପ୍ଲାଜମା ଦାନ କରି ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଭେଙ୍କେଟେଶ।
୨୦୨୦ ନଭେମ୍ବର ୧୬ରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଭେଙ୍କେଟେଶ। ଦୀର୍ଘ ୨୧ ଦିନ ଧରି ଜେକେପୁର କୋଭିଡ଼୍ ହସପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଡିସେମ୍ବର ପ୍ରଥମ ସପ୍ତାହରେ ଘରକୁ ଫେରିଥିଲେ। ଏହା ପରେ କରୋନାର ଦ୍ବିତୀୟ ଲହରୀ ଆରମ୍ଭ ଯୋଗୁ ରାୟଗଡ଼ାରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଏହା ଭିତରେ ଭେଙ୍କେଟେଶଙ୍କ ମାମୁଁ ସି. ଏଚ୍. ସତୀଶ କୁମାର କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡିଥିଲେ। ସତୀଶଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବା ପରେ ଡାକ୍ତର ପ୍ଲାଜମା ଯୋଗାଡ଼ କରିବା ପାଇଁ ପରିବାର ଲୋକଙ୍କୁ କହିଥିଲେ। ପ୍ଲାଜମା ପାଇଁ ସେହି ସମୟରେ ଭେଙ୍କେଟେଶ ଓ ପରିବାର ଲୋକ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ସମେତ ବହୁ ରାଜ୍ୟରେ ରହୁଥିବା ନିଜ ସଂପର୍କୀୟ ଓ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ପ୍ଲାଜମା ମିଳିବାରେ ବହୁ କଷ୍ଟ ହେବା ପରେ ନିଜେ ଭେଙ୍କେଟେଶ ପ୍ଲାଜମା ଦାନ କରିବା ସହ ପ୍ଲାଜମା ଦାନ ଅଭିଯାନକୁ ଜୋରଦାର୍ କରିବାକୁ ପଣ କରିଥିଲେ।
୨୦୨୧ ଏପ୍ରିଲ୍ ୧୩ ତାରିଖରେ ଭେଙ୍କେଟେଶ ପ୍ରଥମେ ବିଶାଖଶପାଟଣାସ୍ଥିତ ରୋଟାରୀ ବ୍ଲଡ୍ ବ୍ୟାଙ୍କରେ ନିଜର ବି ପଜିଟିଭ୍ ପ୍ଲାଜମା ଦାନ କରିଥିଲେ। ଏହା ପରେ ୧୭ ଏପ୍ରିଲ୍, ୨୫ ଏପ୍ରିଲରେ ଆଉ ଦୁଇ ଥର ଭେଙ୍କେଟେଶ ପ୍ଲାଜମା ଦାନ କରିଛନ୍ତି। ଆସନ୍ତାକାଲି ମେ’ ୧୫ ରେ ପୁଣି ବିଶାଖାପାଟଣା ଯାଇ ଜଣେ ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ଭେଙ୍କେଟେଶ।
ଏଥି ସହ କୋଭିଡ଼୍ ପ୍ଲାଜମା ୱାଟସଅପ୍ ଗ୍ରୁପ୍ ଗଠନ କରି ବରିଷ୍ଠ ପୁଲିସ୍, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଇଞ୍ଜିନିୟରିଂ କଲେଜ ଚେୟାରମ୍ୟାନ୍, ବିଭିନ୍ନ ରାଜ୍ୟର ସ୍ବେଚ୍ଛାସେବୀଙ୍କୁ ଯୋଡ଼ି ସଚେତନତା ସୃଷ୍ଟି କରିବା ସହ ଅଭିଯାନ ମାଧ୍ୟମରେ ୪୪ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଭେଙ୍କେଟେଶଙ୍କ କହିବାନୁଯାୟୀ, କୋଭିଡ଼୍ ପ୍ଲାଜମା ୱାଟସଗ୍ରୁପ୍ ଗଠନ ପରେ ପ୍ଲାଜମା ଯୋଗାଡ଼ ପାଇଁ ବିଭିନ୍ନ ରାଜ୍ୟରୁ ତାଙ୍କ ପାଖକୁ ୭୪ଟି ଫୋନ୍ କଲ୍ ଆସିଛି। ସେଥି ମଧ୍ୟରୁ ସେ ଯଥା ସମ୍ଭମ ଲୋକଙ୍କ ସହ ଯୋଗସୂତ୍ର ରକ୍ଷା କରି ୪୪ ଜଣଙ୍କୁ ପ୍ଲାଜମା ଦାନ କରିବାରେ ସହାୟକ ହୋଇଛନ୍ତି। ଏହି ଅଭିଯାନକୁ ଆଉ ଦୁଇ ପାଦ ଆଗକୁ ବଢ଼ାଇବା ପାଇଁ ଭେଙ୍କେଟେଶ ବିଶାଖାପାଟଣାର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ମଧ୍ୟ ସାମିଲ୍ ହୋଇଛନ୍ତି। ବିଶାଖାପାଟଣାରେ ରହୁଥିବା ଓଡ଼ିଆ ଝିଅ ସୁପ୍ରଜା ରାଉତଙ୍କ ସ୍ବେଚ୍ଛାସେବୀ ସଂଗଠନ ସହ ମିଶି ଭେଙ୍କେଟେଶ ପ୍ଲାଜମା ଦାନ ପାଇଁ ରାୟଗଡ଼ାରେ କ୍ୟାମ୍ପେନ କରିବାକୁ ପ୍ରସ୍ତୁତି ଚଲାଇଛନ୍ତି। ତେବେ ରାୟଗଡ଼ା ରକ୍ତ ଭଣ୍ଡାରରେ ପ୍ଲାଜମା ଗ୍ରହଣ ପାଇଁ ବ୍ୟବସ୍ଥା ନଥିବାରୁ ଏକ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଅବଗତ କରିଛନ୍ତି ଭେଙ୍କେଟେଶ। ରାଜ୍ୟସଭା ପାଣ୍ଠିରୁ ୩୪ ଲକ୍ଷ ବ୍ୟୟରେ ୟୁନିଟ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେବା ପରେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶ୍ରୀ ରାଓ।
The post କରୋନାରୁ ସୁସ୍ଥ ପରେ ମାସକରେ ୩ ଥର ପ୍ଲାଜମା ଦେଲେଣି ରାୟଗଡ଼ାର ବି. ଭେଙ୍କେଟେଶ୍ first appeared on Sambad.from କରୋନା | Sambad https://ift.tt/3ogkGEy
0 Comments