
ମୁମ୍ବାଇ: କୋଭିଡ୍ ସଂକ୍ରମଣର ତୃତୀୟ ପ୍ରବାହ ପ୍ରତି ଜନତାଙ୍କୁ ସତର୍କ କରାଇବା ସହ ବେପରୁଆ ହୁଅନ୍ତୁ ନାହିଁ ବୋଲି କହି ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ବୃଦ୍ଧି ଘୋଷଣା କରିଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ।
ସେ କହିଛନ୍ତି ଯେ, ପ୍ରତି ଜିଲ୍ଲାର ଅବସ୍ଥା ସମୀକ୍ଷା କରିବା ପରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକରେ କଟକଣା ସୁଦୃଢ଼ କି, କୋହଳ ହେବ, ତାହା ରାଜ୍ୟ ସରକାର ବିଚାର କରିବେ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେନା କେତେ ବେଳେ ଏବଂ କେଉଁ ଦିନ ତୃତୀୟ ପ୍ରବାହ ଆସି ଉପସ୍ଥିତ ହେବ। ତେଣୁ ଆମେ ବେପରୁଆ ହେବା ଅନୁଚିତ। ଗତ ତିନି ଚାରି ଦିନ ତଳେ ପ୍ରଥମ ସଂକ୍ରମଣ ପ୍ରବାହର ଶୀର୍ଷସଂଖ୍ୟା ସହିତ ସାମ୍ପ୍ରତିକ ସଂକ୍ରମଣସଂଖ୍ୟା ମେଳ ଖାଇଛି। ଏବେ ସୁସ୍ଥତା ହାର ୯୨% ରହିବା ଖୁବ୍ ଭଲ କଥା। ସେହିପରି, ମୃତ୍ୟୁ ହାର ବି ହ୍ରାସ ପାଇଛି।
ତୃତୀୟ ସଂକ୍ରମଣ ସମୟରେ ସମ୍ଭାବ୍ୟ ଡାକ୍ତର ସଙ୍କଟଜନିତ ସମସ୍ୟା ଏଡ଼ାଇବାକୁ ଯାଇ ‘ମାଜା ଡକ୍ଟର’ (ମୋ ଡାକ୍ତର) ନାମରେ ନୂଆ ଉପକ୍ରମ ଆରମ୍ଭ ହୋଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସମସ୍ତ ପାରିବାରିକ ଡାକ୍ତରମାନଙ୍କୁ ନିବେଦନ କରି ସେ କହିଛନ୍ତି, ଆସନ୍ନ ବର୍ଷାଋତୁରେ ଲୋକମାନଙ୍କ ଠାରେ କୋଭିଡ୍ ସଦୃଶ ଲକ୍ଷଣ ଦେଖାଦେବ। ସେଥିପାଇଁ ବିଚଳିତ ନ ହେବାକୁ ପାରିବାରିକ ଡାକ୍ତରମାନେ ସେମାନଙ୍କୁ ପରାମର୍ଶ ଦେବେ। ଏହା ବ୍ୟତିରେକେ, ପାରିବାରିକ ଡାକ୍ତରମାନେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର କୋଭିଡ୍-୧୯ ଆକ୍ରାନ୍ତଙ୍କୁ ସେମାନଙ୍କ ଘରେ ଚିକିତ୍ସା କରିପାରିବେ।
The post ଜୁନ୍ ୧୫ ପର୍ଯ୍ୟନ୍ତ ବଢ଼ିଲା ମହାରାଷ୍ଟ୍ର ଲକ୍ଡାଉନ୍; ମୁଖ୍ୟମନ୍ତ୍ରୀ କହିଲେ, ବେପରୁଆ ଭାବ ଚଳିବ ନାହିଁ, ତୃତୀୟ ପ୍ରବାହ ମୁକାବିଲା ପାଇଁ ସଜାଗ ରୁହନ୍ତୁ first appeared on Sambad.from କରୋନା | Sambad https://ift.tt/2R7I2An
0 Comments