
ସୁନ୍ଦରଗଡ଼: କରୋନାର ପ୍ରଥମ ଲହରରେ ପ୍ରବାସରେ ଥିବା ଶ୍ରମିକମାନଙ୍କ ଘରବାହୁଡ଼ାର ଯନ୍ତ୍ରଣା ସେମାନଙ୍କ ମନରୁ ଏଯାଏଁ ଲିଭି ନଥିବ। ଦ୍ବିତୀୟ ଲହରରେ ସେ ଯନ୍ତ୍ରଣା ପୁଣି ଲେଉଟିଛି। ବିଭିନ୍ନ ରାଜ୍ୟରେ ତାଲାବନ୍ଦ ଯୋଗୁଁ ଘର ମୁହାଁ ଶ୍ରମିକ ଓ ପ୍ରବାସୀ ଯାତନା ଭୋଗୁଥିବା ନଜରକୁ ଆସିଛି। ଘଟଣାକ୍ରମରେ ଆଜି ସୁନ୍ଦରଗଡ଼ ନୂଆ ବସଷ୍ଟାଣ୍ଡରେ ସେପରି ଜଣେ ପଥଶ୍ରାନ୍ତ ଶ୍ରମିକଙ୍କୁ ଦେଖିଥିଲେ ଭୋକିଲାଙ୍କୁ ରନ୍ଧା ଖାଦ୍ୟ ଦେଉଥିବା ସୁନ୍ଦରଗଡ଼ ସହରର ‘ପଞ୍ଚସଖା’ ଟିମ୍। ଝାଡ଼ଖଣ୍ଡ ଯିବାକୁ ବାହାରିଥିବା ଏ ଶ୍ରମିକ ଏକା ଏକା କୋରାପୁଟରୁ ୪୮୯ କିଲୋମିଟର ଚାଲି ଚାଲି ୧୫ ଦିନରେ ସୁନ୍ଦରଗଡ଼ ପହଞ୍ଚିଥିବା ପ୍ରକାଶ କରିଥିଲେ। ଏବେ ଏଠାରୁ ପୁଣି ୨ ଶହ କିଲୋମିଟର ଯିବାକୁ ଅଛି।
କୁଲୁ ଶର୍ମା ନାମକ ଏହି ଯୁବ ଶ୍ରମିକ ପ୍ରଥମ ଲହରର ତାଲାବନ୍ଦ ଖୋଲିବା ପରେ କୋରାପୁଟ ଚାଲି ଯାଇଥିଲେ। ସେଠାରେ ଏକ ରାଇସ୍ ମିଲ୍ରେ କାମ କରୁଥିଲେ। ଦ୍ବିତୀୟ ଲହର ସଂଗୀନ ହେବା ପରେ ପୂର୍ବ ଥର ପରି ତାଲାବନ୍ଦସ୍ଥିତି ଆସିବ ବୋଲି ଜାଣି ସେ ବ୍ୟସ୍ତବିବ୍ରତ ହୋଇ ଘରକୁ ବାହାରି ପଡ଼ିଥିଲେ। ବସ୍, ଟ୍ରେନ୍ ଚାଲୁ ନଥିବାରୁ ସେ ଚାଲି ଚାଲି ଆସିଥିବା ପ୍ରକାଶ କରିଛନ୍ତି। ବାଟରେ ଯେଉଁଠି ଯାହା ମିଳିଲା ଖାଇବା ସହ ରାତି ହେଲେ କୌଣସି ଦୋକାନ ବାରଣ୍ଡା, ଯାତ୍ରୀ ବିଶ୍ରାମ ଗୃହରେ ଶୋଇ ପଡ଼ୁଥିଲେ।
ସୋମବାର ରାତିରେ ସୁନ୍ଦରଗଡ଼ ଆସି ନୂଆବସଷ୍ଟାଣ୍ଡରେ ବିଶ୍ରାମ ନେଇଥିବା ବେଳେ ପଞ୍ଚସଖା ଟିମ୍ର ନଜର ପଡ଼ିଥିଲା। ୨ ଦିନ ହେଲା କିଛି ଖାଇ ନଥିବା କହିବା ପରେ ପଞ୍ଚସଖା ଟିମ୍ ତାଙ୍କୁ ଖାଇବାକୁ ଦେବା ସହ ଝାଡ଼ଖଣ୍ଡ ସୀମା ଯାଏ ପହଞ୍ଚାଇବାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି।
The post କରୋନା ଯନ୍ତ୍ରଣାରେ ଝାଡ଼ଖଣ୍ଡ ଶ୍ରମିକ; କୋାରାପୁଟରୁ ୫ ଶହ କିଲୋମିଟର ଚାଲି ସୁନ୍ଦରଗଡ଼ରେ first appeared on Sambad.from କରୋନା | Sambad https://ift.tt/3oxItjr
0 Comments