ନୂଆଦିଲ୍ଲୀ: ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଦେହରେ ‘କୋଭାକ୍ସିନ୍’ ପରୀକ୍ଷା କରିବା ଲାଗି ‘ଭାରତ ବାୟୋଟେକ୍‌’କୁ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ’ଙ୍କ (ଡିଜିସିଆଇ) ସମ୍ମତି ମିଳିଛି।

‘ଡିଜିସିଆଇ’ କହିଛନ୍ତି, ତନ୍ନତନ୍ନ କରି ପରୀକ୍ଷା କରିବା ପରେ ‘ଏସ୍‌ଇସି’ର ସୁପାରିସକୁ ଗ୍ରହଣ କରାଯିବା ସହ ‘କୋଭାକ୍ସିନ୍‌’ର ଉତ୍ପାଦନକାରୀ ‘ଭାରତ ବାୟୋଟେକ୍‌’କୁ ଉପରୋକ୍ତ ଅନୁମତି ପ୍ରଦାନ କରାଯାଇଛି।

Image Courtesy of India.com

ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨ ରୁ ୧୮ ବର୍ଷ ବୟସ୍କମାନଙ୍କ ଦେହରେ ‘କୋଭାକ୍ସିନ୍‌’ ପରୀକ୍ଷା କରିବା ପାଇଁ ‘ବିଶେଷଜ୍ଞ କମିଟି’ର ଅନୁମୋଦନ ଲାଭ କରିଥିବା କଥା ବୁଧବାର ଦିନ ହାଇଦ୍ରାବାଦର ଔଷଧ ଉତ୍ପାଦନକାରୀ ‘ଭାରତ ବାୟୋଟେକ୍‌’ କହିଥିଲା।

ଏଥର‘ ଭାରତ ବାୟୋଟେକ୍‌’ ‘ଦିଲ୍ଲୀ ଏମ୍ସ୍‌’, ‘ପାଟନା ଏମ୍ସ୍‌’ ଏବଂ ନାଗପୁରସ୍ଥିତ ‘ମେଡିଟ୍ରିନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍‌’ ସମେତ ବିଭିନ୍ନ ସ୍ଥାନରେ ୫୨୫ଜଣ ସ୍ବେଚ୍ଛାସେବୀଙ୍କ ଦେହରେ ତା’ର ଟିକା ପରୀକ୍ଷା କରିବ।

ମେ ପହିଲା ଠାରୁ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ବିହାର, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୧୮ଟି ରାଜ୍ୟକୁ ସିଧାସଳଖ ‘କୋଭାକ୍ସିନ୍‌’ ଯୋଗାଣ ହୋଇ ଆସୁଛି ବୋଲି ‘ଭାରତ ବାୟୋଟେକ୍‌’ ଟୁଇଟ୍‌ କରି ସୂଚନା ଦେଇଛି।

The post ୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଦେହରେ ‌ନୈଦାନିକ ପରୀକ୍ଷା ନିମନ୍ତେ ‘ଡିଜିସିଆଇ’ଙ୍କ ସମ୍ମତି ପାଇଲା ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍’ first appeared on Sambad.

from କରୋନା | Sambad https://ift.tt/2R6Vx3n