
ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ନଷ୍ଟ ମାତ୍ରାକୁ ୧ ପ୍ରତିଶତରୁ ତଳେ ରଖିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇ ଆସୁଛି। କିନ୍ତୁ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଭଳି ରାଜ୍ୟରେ ମାତ୍ରାଧିକ ଟିକା ନଷ୍ଟ ହେଉଛି। ଝାଡ଼ଖଣ୍ଡରେ ୩୭.୩ ପ୍ରତିଶତ ଏବଂ ଛତିଶଗଡ଼ରେ ୩୦.୨ ପ୍ରତିଶତ ଟିକା ନଷ୍ଟ ହୋଇଛି। ସେହିଭଳି ତାମିଲନାଡ଼ୁରେ ୧୫.୫ ପ୍ରତିଶତ, ଜମ୍ମୁ କାଶ୍ମୀରରେ ୧୦.୮ ପ୍ରତିଶତ, ମଧ୍ୟପ୍ରଦେଶରେ ୧୦.୭ ପ୍ରତିଶତ ଟିକା ନଷ୍ଟ ହୋଇଛି। ଜାତୀୟ ସ୍ତରରେ ଟିକା ନଷ୍ଟ ହାର ୬.୩ ପ୍ରତିଶତ ରହିଥିବାବେଳେ ଏସବୁ ରାଜ୍ୟରେ ବହୁ ଅଧିକ ମାତ୍ରାର ଟିକା ନଷ୍ଟ ହେଉଛି। ଝାଡ଼ଖଣ୍ଡରେ ଚାଲିଥିବା ମେଣ୍ଟ ସରକାରରେ କଂଗ୍ରେସ ସହଯୋଗୀ ଥିବାବେଳେ ଛତିଶଗଡ଼ରେ କଂଗ୍ରେସ ଦଳ ଶାସନ କରୁଛି।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଦୁଇ ସପ୍ତାହ ପୂର୍ବେ ହରିୟାଣା ଟିକା ନଷ୍ଟ କରିବାରେ ଆଗରେ ଥିଲା। ଏଠାରେ କୋଭିସିଲ୍ଡ ଟିକା ୬ ପ୍ରତିଶତ ଏବଂ କୋଭାକ୍ସିନ ଟିକା ୧୦ ପ୍ରତିଶତ ନଷ୍ଟ ହେଉଥିଲା। କିନ୍ତୁ ହରିୟାଣାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ ଆରୋରା କହିଛନ୍ତି ଏହି ଟିକା ନଷ୍ଟ ମାତ୍ରା ଯଥାକ୍ରମେ ୩.୧ ପ୍ରତିଶତ ଏବଂ ୨.୪ ପ୍ରତିଶତକୁ ହ୍ରାସ ପାଇଛି। ଟିକାକରଣ କାର୍ଯ୍ୟକ୍ରମରେ ଟିକା ନଷ୍ଟ ଅପରିହାର୍ଯ୍ୟ। କିନ୍ତୁ ଟିକା ନଷ୍ଟକୁ ସର୍ବନିମ କରାଯିବାର ଆବଶ୍ୟକତା ରହିଛି। ଟିକା ସାଧାରଣତଃ ପରିବହନ, ମହଜୁଦ ରଖିବା ଏବଂ ଟିକାକରଣ କେନ୍ଦ୍ରରେ ନଷ୍ଟ ହୋଇଥାଏ। ଟିକା ଗୋଟିଏ ଶିଶିରେ ୧୦ଟି ଡୋଜ୍ ରହିଥାଏ। ଯଦି ଗୋଟିଏ ଶିଶି ଖୋଲାଯାଏ ଏବଂ ୧୦ ଜଣ ଟିକା ନନିଅନ୍ତି ତାହେଲେ ଅବଶିଷ୍ଟ ନଷ୍ଟ ହୋଇଯାଇଥାଏ। ଟିକା ନଷ୍ଟର ଏହା ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଥିସହିତ ଟିକାକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ମହଜୁଦ ରଖାଯାଇଥାଏ। ଯଦି ଏହା ସମ୍ଭବ ନହୁଏ ତାହେଲେ ମଧ୍ୟ ଟିକା ନଷ୍ଟ ହୋଇଥାଏ।
The post ଝାଡ଼ଖଣ୍ଡରେ ୩୭.୩%, ଛତିଶଗଡ଼ରେ ୩୦.୨% ଟିକା ନଷ୍ଟ first appeared on Sambad.from କରୋନା | Sambad https://ift.tt/3fmOI6M
0 Comments