ଦୈନିକ ସଂକ୍ରମଣ ପୁଣି ୨ଲକ୍ଷ ଟପିଲା: ୨୪ ଘଣ୍ଟାରେ ୨,୦୮,୯୨୧ ସଂକ୍ରମିତ, ୪,୧୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଅପ୍ରତ୍ୟାଶିତ ହ୍ରାସବୃଦ୍ଧି ଚିନ୍ତାର କାରଣ ହୋଇଛି। ଦୈନିକ ସଂକ୍ରମଣ ଲଗାତାର ନବମ ଦିନ ପାଇଁ ୩ ଲକ୍ଷ ତଳକୁ କମି କମି ଆସିବା ସହ ଦୀର୍ଘ ୪୦ ଦିନ ପରେ ସୋମବାର ଏହା ୨ ଲକ୍ଷ ତଳକୁ ଖସି ଆସିଥିବା ବେଳେ ମଙ୍ଗଳବାର ପୁଣି ୨ ଲକ୍ଷ ସୀମା ଡେଇଁଛି। ସେହିପରି ଦୈନିକ କୋଭିଡ୍‌ ମୃତକଙ୍କ ସଂଖ୍ୟା ମଧ୍ୟ ପୂର୍ବଦିନ(ସୋମବାର) ସାଢ଼େ ୩ ହଜାର ପାଖରେ ରହିଥିବା ବେଳେ ମଙ୍ଗଳବାରକୁ ତାହା ପୁଣି ଥରେ ୪ ହଜାର ଟପିଯାଇଛି। ଗତ ୧୫ ଦିନ ଭିତରେ ୬୦ ହଜାରରୁ ଅଧିକ ସଂଖ୍ୟାରେ ପୀଡ଼ିତ ମୃତ୍ୟୁମୁଖରେ ପଡ଼ିବା ଘଟଣା ଦେଶର ଭୂତାଣୁ ବିଶେଷଜ୍ଞମାନଙ୍କ ନିଦ ହଜେଇ ଦେଇଛି। ବୁଧବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୦୮,୯୨୧ ଜଣ ନୂତନ ସଂକ୍ରମିତ ଠାବ ହୋଇଥିବା ବେଳେ ଅଦ୍ୟାବଧି ମୋଟ ୨,୭୧,୫୭,୭୯୫ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ମଙ୍ଗଳବାରର ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୪,୨୮୫ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ତାହା ପଛକୁ କେରଳରେ ୨୯,୮୦୩ ଜଣ ଓ ମହାରାଷ୍ଟ୍ରରେ ୨୪,୧୩୬ ଜଣ ସଂକ୍ରମିତ ବାହାରିଛନ୍ତି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୪,୧୫୭ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ହେବା ସହ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୧୧,୩୮୮ରେ ପହଞ୍ଚିଛି। ତେବେ ମୋଟ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ଅବଶ୍ୟ ଲଗାତାର ତିନି ଦିନ ହେଲା ୧.୧୫ ପ୍ରତିଶତ ପରି ନିମ୍ନ ସ୍ତରରେ ରହିଛି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ଦେଶରେ ୨,୯୫,୯୯୫ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୪୩,୫୦,୮୧୬ ଜଣ ସୁସ୍ଥ ହୋଇଛନ୍ତି ଯାହା କି, ମୋଟ ସଂକ୍ରମିତଙ୍କର ୮୯.୬୬ ପ୍ରତିଶତ ପରି ଉଚ୍ଚ ରହିଛି। ତଥାପି ଦେଶରେ ୨୪,୯୫,୫୯୧ଟି ସକ୍ରିୟ ମାମଲା ରହିଥିଲେ ହେଁ ତାହା ମୋଟ ସଂକ୍ରମିତଙ୍କର ୯.୧୬ ପ୍ରତିଶତକୁ ମଧ୍ୟ ଖସି ଆସିଛି। ଲଗାତାର ଦ୍ବିତୀୟ ଦିନ ପଇଁ ମୃତ୍ୟୁହାର ଏପରି ୧୦ ପ୍ରତିଶତ ତଳେ ରହିଛି। ସେହିପରି ଦେଶରେ ଅଦ୍ୟାବଧି ମୋଟ ୨୦,୦୬,୬୨,୪୫୬ ଜଣଙ୍କର ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।

The post ଦୈନିକ ସଂକ୍ରମଣ ପୁଣି ୨ଲକ୍ଷ ଟପିଲା: ୨୪ ଘଣ୍ଟାରେ ୨,୦୮,୯୨୧ ସଂକ୍ରମିତ, ୪,୧୫୭ ମୃତ first appeared on Sambad.

from କରୋନା | Sambad https://ift.tt/3fRrqFa

Post a Comment

0 Comments