ନ୍ୟୁୟର୍କ: ଆମେରିକା ବିଶ୍ବର ସବୁଠୁ ଶକ୍ତିଶାଳୀ ଏବଂ ଧନୀ ରାଷ୍ଟ୍ର। କରୋନା ଦ୍ବାରା ଏହି ରାଷ୍ଟ୍ର ଗତବର୍ଷ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିଲା। ହସ୍ପିଟାଲରେ ବହୁସଂଖ୍ୟାରେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। ରୋଗୀଙ୍କ ମୃତଦେହକୁ ସାଇତି ରଖିବା ପାଇଁ ହସ୍ପିଟାଲ‌ ପରିସରରେ ସ୍ଥାନର ଘୋର ଅଭାବ ଦେଖାଦେଇଥିଲା। ଲୋକ ଏତେମାତ୍ରାରେ ଭାଙ୍ଗି ପଡ଼ିଥିଲେ ଯେ ମୃତ ଶରୀରର ଶେଷ ସଂସ୍କାର କିମ୍ବା କବର ଦେବା ପାଇଁ ଠିକ୍ ସମୟରେ ଆସି ପାରି ନଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶବକୁ ଦୀର୍ଘଦିନ ପାଇଁ ସାଇତି ରଖିବା ଲାଗି ଅସ୍ଥାୟୀ ବ୍ୟବସ୍ଥା କରିଥିଲା। ରେଫ୍ରିଜରେଟର ସୁବିଧା ଥିବା ଟ୍ରକରେ ଶବଗୁଡ଼ିକୁ ରଖାଯାଇଥିଲା।

ବର୍ଷକ ପରେ ମଧ୍ୟ ଶବଗୁଡ଼ିକ ଏପର୍ଯ୍ୟନ୍ତ ଟ୍ରକରେ ପଡ଼ିରହିଛି। ସେଗୁଡ଼ିକୁ ସଂସ୍କାର କରାଯାଇ ନାହିଁ। ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ କରୋନା ମହାମାରୀ ଶୀର୍ଷରେ ଥିବାବେଳେ ନଗର ପ୍ରଶାସନ ପକ୍ଷରୁ କୋଭିଡ-୧୯ ରୋଗରେ ମୃତ ରୋଗୀଙ୍କ ଶବ ଟ୍ରକରେ ରଖିବା ବ୍ୟବସ୍ଥା ହୋଇଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ୭୫୦ ଶବ ସେହିଭଳି ଟ୍ରକରେ ରହିଛି। ନ୍ୟୁୟର୍କ ନଗର ପରିଷଦ ସ୍ବାସ୍ଥ୍ୟ କମିଟି ଗତ ସପ୍ତାହରେ ଏହି ବିଷୟ ସ୍ବୀକାର କରିଥିବା ବିଷୟ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ମୃତଦେହଗୁଡ଼ିକୁ ଆମେରିକାର ହାର୍ଟ ଦ୍ବୀପରେ କବର ଦେବା ଯୋଜନା ରହିଛି। ମେଡିକାଲ ଯାଞ୍ଚ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଡେପୁଟି କମିସନର ଥିବା ଡିନା ମାନିଓଟିସ୍ ସ୍ବାସ୍ଥ୍ୟ କମିଟିକୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତ କୋଭିଡ ରୋଗୀଙ୍କ ପରିବାର ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇ ଆସୁଛି। ଅନୁମତି ମିଳିବା ମାତ୍ରେ ସେସବୁ ମୃତଦେହଗୁଡ଼ିକୁ ହାର୍ଟ ଦ୍ବୀପକୁ ନିଆଯିବ। ଉଲ୍ଲେଖଯୋଗ୍ୟ, ଗତବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ବିଶ୍ବର ସର୍ବାଧିକ କୋଭିଡ଼ ପ୍ରଭାବିତ ସହର ମଧ୍ୟରେ ନ୍ୟୁୟର୍କ ଅନ୍ୟତମ ସହର ଥିଲା। ନ୍ୟୁୟର୍କରେ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହାହାକାର ସୃଷ୍ଟି କରିଥିଲା।

ମେଡିକାଲ ଯାଞ୍ଚ କାର୍ଯ୍ୟାଳୟର ପ୍ରବକ୍ତା ମାର୍କ ଡିଜାୟାର କହିଛନ୍ତି, ଗତବର୍ଷ କୋଭିଡ ମହାମାରୀ ଶୀର୍ଷରେ ଥିବା ସମୟରେ ମୃତଦେହକୁ ଏଭଳି ସାଇତି ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହାର କାରଣ ଥିଲା ମୃତବ୍ୟକ୍ତିଙ୍କ ପରିବାରବର୍ଗ ଯେଭଳି ସେମାନଙ୍କ ପ୍ରିୟବ୍ୟକ୍ତିଙ୍କୁ ପସନ୍ଦ ଅନୁଯାୟୀ ସମ୍ମାନ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ସୂଚନାଯୋଗ୍ୟ, ଆମେରିକାରେ ୫ ଲକ୍ଷ ୮୨ ହଜାରରୁ ଅଧିକ ଲୋକଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ପରିବାର ମଧ୍ୟ ମୂଳପୋଛ ହୋଇଯାଇଛନ୍ତି।

The post ଆମେରିକାରେ କରୋନାର ଭୟାନକ କାହାଣୀ, ବର୍ଷେ ହେଲା ଟ୍ରକରେ ପଡ଼ିଛି ୭୫୦ ଶବ first appeared on Sambad.

from କରୋନା | Sambad https://ift.tt/3vXPYCW