ନୂଆଦିଲ୍ଲୀ: କରୋଭାଇରସ୍‌ ଭୂତାଣୁ ‘ସାର୍ସ-କୋଭ୍-୨’ ବାୟୁବାହିତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ (ସିଡିସି) ଶନିବାର ଦିନ ସୁନିଶ୍ଚିତ କରିଛି। ‘ସାର୍ସ-କୋଭ୍‌-୨’ ସଂକ୍ରମଣ ସଂକ୍ରାନ୍ତ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ରେ ମଧ୍ୟ ‘ସିଡିସି’ ଏ ତଥ୍ୟ ସାମିଲ କରିଛି।

୨୦୨୧ ମେ ୭ ତାରିଖ ସୁଦ୍ଧା ‘ସିଡିସି’ ଉକ୍ତ ଗାଇଡ୍‌ଲାଇନ୍‌ରେ ୩ଟି ନୂଆ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନ୍ତର୍ଭୁକ୍ତ କରିଛି। ସେଥିରୁ ଗୋଟିଏରେ ଉଲ୍ଲେଖ ଅଛି ଯେ, ‘ସାର୍ସ-କୋଭ୍‌-୨’ ବାୟୁଦ୍ବାରା ବିସ୍ତାରିତ ହୋଇପାରୁଛି। ସଂକ୍ରମଣ ଉତ୍ସ ବା ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରଶ୍ବାସ ବାୟୁ, କାଶ ଓ ଛିଙ୍କରେ ବାହାରୁ ଥିବା ‘ସାର୍ସ-କୋଭ୍‌-୨’ ବାୟୁମଣ୍ଡଳରେ ମିଶିଯାଇ ଘଟଣାସ୍ଥଳରୁ ୬ ଫୁଟ୍‌ରୁ ଅଧିକ ଦୂରରେ ଥିବା ବ୍ୟକ୍ତିମାନଙ୍କୁ ସଂକ୍ରମିତ କରୁଛି।

Image Courtesy of India Today

‘ସିଡିସି’ କହିଛି ଯେ, କୌଣସି ଆକ୍ରାନ୍ତ ବ୍ୟକ୍ତି ଗୋଟିଏ କୋଠରିରେ ୧୫ ମିନିଟ୍‌ରୁ ଅଧିକ ସମୟ ରହିଲେ ସେ କୋଠରିରେ ଥିବା ବାୟୁରେ ଅସୁମାରି ଭୂତାଣୁ ଭରିହୋଇ ଯାଆନ୍ତି। ସେହି ସମୟରେ ଛଅ ଫୁଟ୍‌ ଦୂରରେ ଥିବା ଯଦି କୌଣସି ସୁସ୍ଥ ବ୍ୟକ୍ତି ଉକ୍ତ କୋଠରିର ବାୟୁକୁ ଆଘ୍ରାଣ କରନ୍ତି, ସେ ମଧ୍ୟ କୋଭିଡ୍‌-୧୯ ସଂକ୍ରମିତ ହୋଇଯିବେ।

ଏପ୍ରିଲ୍‌ ମାସରେ ଶ୍ରୀଲଙ୍କାର ଗବେଷକମାନ‌େ ମଧ୍ୟ ଦାବି କରିଥିଲେ ଯେ, ସେମାନେ ଗୋଟାଏ ପରିବର୍ତ୍ତିତ ପ୍ରଜାତିର ନୂଆ କରୋନାଭାଇରସ୍‌ ଚିହ୍ନଟ କରିଛନ୍ତି। ସେ ଭୂତାଣୁ ପ୍ରାୟ ଏକ ଘଣ୍ଟାକାଳ ବାୟୁରେ ସକ୍ରିୟ ରହିପାରୁଛି।  ତେଣୁ, ଟିକା ନେଲେ ସୁଦ୍ଧା ସଂକ୍ରମଣ ଏଡ଼ାଇବାକୁ ଡବଲ୍‌ ମାସ୍କ୍‌ ପରିଧାନ, ହାତଧୁଆ, ସାମାଜିକ ଦୂରତା ଆଦି ହେଉଛି ସର୍ବୋତ୍ତମ ଉପାୟ।

The post କରୋନାଭାଇରସ୍‌ ଭୂତାଣୁ ବାୟୁବାହିତ ବୋଲି ସୁନିଶ୍ଚିତ କଲା ଆମେରିକାର ‘ସିଡିସି’ first appeared on Sambad.

from କରୋନା | Sambad https://ift.tt/3hcnS2B