ନୂଆଦିଲ୍ଲୀ: ପୁନର୍ବାର ବୃଦ୍ଧି ପାଇଥିବା କୋଭିଡ୍‌-୧୯ ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ କରୋନାଭାଇରସ୍‌ ସଂକ୍ରମଣର ଦ୍ବିତୀୟ ପ୍ରବାହ କାରଣରୁ କଠିନ ସମସ୍ୟାରେ ପଡ଼ିଥିବା ନାଗରିକ, ବ୍ୟାବସାୟିକ ସଂସ୍ଥାନ ଏବଂ ପ୍ରତିଷ୍ଠାନମାନଙ୍କ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍‌ ତା’ ଅଧୀନରେ ଥିବା ସମସ୍ତ ସମ୍ବଳ ଏବଂ ବ୍ୟବସ୍ଥା ବିନିଯୋଗ କରିବ ବୋଲି ବୁଧବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ କହିଲେ ଯେ, ବଳିଷ୍ଠ ଆର୍ଥିକ ସୁଧାରର ପାଦଦେଶରେ ଥିବା ପରିସ୍ଥିତି ଏବେ ସଙ୍କଟର ସମ୍ମୁଖୀନ ହୋଇଛି।

ଠିକଣା ସମୟରେ ଗ୍ରହଣ କରାଯିବାକୁ ଥିବା ଧାରାବାହିକ, ସୁସଜ୍ଜିତ ଏବଂ ସମୟପୋଯୋଗୀ ଦ୍ରୁତ ଓ ବ୍ୟାପକ କାର୍ଯ୍ୟାନୁଷ୍ଠାନ ହିଁ କ୍ଷିପ୍ର ବେଗରେ ବ୍ୟାପି ଚାଲିଥିବା ଭୂତାଣୁର ପ୍ରଭାବକୁ ମୁକାବିଲା କରିପାରିବ ଏବଂ ସବୁଠୁ ଅସୁରକ୍ଷିତ ବର୍ଗଙ୍କ ସମେତ ଅନ୍ୟ କେତେକ ବର୍ଗର ବ୍ୟକ୍ତିବିଶେଷଙ୍କୁ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

Image Courtesy of Zee News

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାଭାବିକ ମୌସୁମୀ ପ୍ରବାହ ହେବ ବୋଲି କରାଯାଇଥିବା ପୂର୍ବାନୁମାନ ଖାଦ୍ୟସାମଗ୍ରୀ ଦର ସ୍ଫୀତିକୁ ରୋକିବାରେ ସହାୟକ ହେବ।

ଆଜି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଥିବା ପ୍ରଥମ ପଦକ୍ଷେପ ହେଉଛି, ଅନାୟାସରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ୫୦,୦୦୦ କୋଟି ଟଙ୍କାର ‘ଟର୍ମ ଲିକ୍ବିଡିଟି ଫେସିଲିଟି’ ଘୋଷଣା। ରେପୋ ରେଟ୍‌ରେ ତିନି ବର୍ଷ ପାଇଁ ୫୦, ୦୦୦ କୋଟିର ‘ଅନ୍-ଟ୍ୟାପ୍‌ ଲିକ୍ବିଡିଟି’ ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ ପ୍ରସ୍ତାବ ଦେଇଛି। ଏହିପରି ଅନ୍ୟାନ୍ୟ ଆହୁରି ଅନେକ ଅର୍ଥନୈତିକ ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ କେତେକ ସୁବିଧା ଘୋଷଣା କରିଛି।

The post ସମସ୍ତ ସମ୍ବଳ ବିନିଯୋଗ କରିବା ସହ ପୁନର୍ବାର ବୃଦ୍ଧି ପାଇଥିବା କୋଭିଡ୍‌-୧୯ ପରିସ୍ଥିତି ଉପରେ ଦୃଷ୍ଟି ରଖିବ ରିଜର୍ଭ ବ୍ୟାଙ୍କ୍‌: ଶକ୍ତିକାନ୍ତ ଦାସ first appeared on Sambad.

from କରୋନା | Sambad https://ift.tt/33hAU6M