
ଓ୍ୱାସିଂଟନ : କୋଭିଡ୍ ଟିକା ପାଇଁ ରହିଥିବା ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ନେଇ ଏବେ ବିଶ୍ବବ୍ୟାପୀ ବିବାଦୀୟ ସ୍ଥିତି ଦେଖିବାକୁ ମିଳିଛି। ଟିକା ପ୍ୟାଟେଣ୍ଟ୍କୁ ହଟାଇ ନେବା ପାଇଁ ଆଗତ ପ୍ରସ୍ତାବକୁ ଗ୍ରହଣ କରିବାରେ ଆମେରିକାର ଟାଳଟୁଳ ନୀତି ଯୋଗୁଁ ବିଭିନ୍ନ ରାଷ୍ଟ୍ରକୁ ଟିକା ମିଳିବାରେ ବିଳମ୍ବ ହେଉଛି। ଟିକା ପ୍ୟାଟେଣ୍ଟ କଟକଣା ହଟିଲେ ହିଁ ବିଭିନ୍ନ କମ୍ପାନିଠାରୁ ଟିକା ଖଲାସ ଲାଗି ଅଭିଯାନ ଚଳାଇଥିବା ଭାରତ ଏଥିରେ ସଫଳ ହେବ। ସ୍ବତ୍ବାଧିକାର କଟକଣାକୁ ସାମୟିକ ଭାବେ ଛାଡ଼ କରିବା ଲାଗି ଏବେ ଆମେରିକା ରାଜି ହେବା ପରେ ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ ମଧ୍ୟ ଅନୁରୂପ ଆଗ୍ରହ ପ୍ରକାଶ କରିଛନ୍ତି।
ଅପରପକ୍ଷେ, ସ୍ପେନ୍ ସମେତ ୟୁରୋପୀୟ ସଂଘ ଏ ବାବଦରେ ଅଧିକ ଆଲୋଚନା ଲୋଡ଼ିଛନ୍ତି। ତେବେ ବିଶ୍ବ ବାଣିଜ୍ୟ ସଂଗଠନର ୧୪୦ ସଦସ୍ୟ ଏଥିରେ ରାଜି ହେବା ସହ କେହି ଭିଟୋ ପ୍ରୟୋଗ ନକଲେ ହିଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏହି ଟିକା କଟକଣା କୋହଳ ହେଲେ କାନାଡ଼ା, ବାଂଲାଦେଶ ଓ ଦକ୍ଷିଣକୋରିଆ ପରି ଦେଶକୁ ଟିକା ପ୍ରସ୍ତୁତି ପାଇଁ ସୁଯୋଗ ମିଳିପାରିବ ବୋଲି ପବ୍ଳିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ପ୍ରଫେସର କେ ଶ୍ରୀନାଥ ରେଡ୍ଡି ଆଶା ପ୍ରକଟ କରିଛନ୍ତି।
ପ୍ରତିବନ୍ଧକ ଉଠିଗଲା ପରେ ଦ୍ରୁତ ଟିକାପ୍ରସ୍ତୁତିର ବାଟ ଉନ୍ମୁକ୍ତ ହୋଇଯିବ ଏବଂ ବିଭିନ୍ନ ରାଷ୍ଟ୍ର ସଂପୃକ୍ତ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଉତ୍ସାହିତ ହେବେ। ଅବଶ୍ୟ ଫାଇଜର, ମ଼ଡର୍ଣ୍ଣା, ଆଷ୍ଟ୍ରାଜେନେକା, ନୋଭାଭାକ୍ସ, ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଓ ଭାରତ ବାୟୋଟେକ୍ ପରି ଭେଷଜ କମ୍ପାନିଙ୍କୁ ଏଭଳି ଛାଡ଼ ମିଳିସାରିଛି। ସର୍ବୋପରି ଭାରତ ପରି ମଧ୍ୟମ ଆୟବର୍ଗ ଦେଶ ଶକ୍ତିଶାଳୀ ରାଷ୍ଟ୍ର ଉପରୁ ନିର୍ଭରଶୀଳତା କମାଇ ଆବଶ୍ୟକ ଆର୍ଥିକ ସହାୟତା ହାସଲପୂର୍ବକ ଦ୍ରୁତ ବେଗରେ ଟିକାପ୍ରସ୍ତୁତ କରିପାରିବେ। ଏଣେ ବିକଶିତ ରାଷ୍ଟ୍ରମାନେ ନିଜ ନାଗରିକଙ୍କର ଟିକାକରଣ ସମ୍ପୂର୍ଣ୍ଣ କରି ଅନ୍ୟ ଦେଶକୁ ଟିକା ବିକିବାକୁ ଚାହୁଚନ୍ତି। ୨୦୨୦ ମସିହାରେ ଆମେରିକା ବିଭିନ୍ନ ଟିକାନିର୍ମାତା କମ୍ପାନିଙ୍କ ପିଛା ୨୦୦ କୋଟି ଡଲାର ଅର୍ଥ ଖଟାଇବା ସହ ଆବଶ୍ୟକତାଠାରୁ ଅଧିକ ଟିକା ଗଚ୍ଛିତ କରିବାକୁ ବ୍ୟବସ୍ଥା କରିଛି। ବିଶ୍ବର ପ୍ରାୟ ଅଧାଅଧି ଜନସଂଖ୍ୟା ଧାରଣ କରୁଥିବା ବିକଶିତ ରାଷ୍ଟ୍ରଙ୍କ ପାଖରେ ମୋଟ ପ୍ରସ୍ତୁତ ଟିକାର ପ୍ରାୟ ୮୩ ପ୍ରତିଶତରୁ ଅଧିକ ଗଚ୍ଛିତ ରହିଛି। ସୁତରାଂ ସେମାନେ ଏହି ଟିକା ମାଧ୍ୟମରେ ଆର୍ଥିକ ଏକଛତ୍ରବାଦ ଚଳାଇବା କିଛି ବିଚିତ୍ର ନୁହେଁ ବୋଲି କୁହାଯାଉଛି।
The post ଟିକାର ଏକଚାଟିଆ ସ୍ୱତ୍ୱାଧିକାର ପାଇଁ ସମସ୍ୟା first appeared on Sambad.from କରୋନା | Sambad https://ift.tt/3w5ZkN1
0 Comments