ନୂଆଦିଲ୍ଲୀ : ଦେଶରେ ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣ ଅବଶ୍ୟମ୍ଭାବୀ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେବାପରେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିବାକୁ ସୁପ୍ରମକୋର୍ଟ ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ଲୋକଙ୍କ ଭିତରେ ଅକ୍ସିଜେନ ଅଭାବଜନିତ କୋକୁଆ ଭୟ ନହେବା ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାପକ ଅକ୍ସିଜେନ ଗଚ୍ଛିତ ରଖିବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଅକ୍ସିଜେନ୍‌ ଯୋଗାଣ ସଂକ୍ରାନ୍ତ ଏକ ମାମଲାର ଶୁଣାଣିବେଳେ ଅଦାଲତ କେନ୍ଦ୍ର ସରକାରଙ୍କୁ ଏଭଳି ସତର୍କ ରହିବା ପାଇଁ କହିଛନ୍ତି। ସେହିପରି ଦେଶରେ ତୃତୀୟ ଲହର ସଂକ୍ରମଣର ଆବିର୍ଭାବ ପୂର୍ବରୁ କେଉଁ ସ୍ଥାନକୁ କେତେ ପରିମାଣର ଅକ୍ସିଜେନ ଯୋଗାଣ ହେବା ଜରୁରୀ, ତାହାର ସମୀକ୍ଷା କରି ଏକ ତାଲିକା ପ୍ରସ୍ତୁତ କରି ରଖିବାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି।

ଅପରପକ୍ଷେ, ଏହି ତୃତୀୟ ଲହର ସଂକ୍ରମଣରେ ଶିଶୁମାନେ ବେଶୀ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଟିକାକରଣ ନିଶ୍ଚିତ କରିବାକୁ ମଧ୍ୟ ଅଦାଲତ ପରାମର୍ଶ କରିଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ବଢ଼ାଇବା ଲାଗି ଡାକ୍ତରୀ ପାଠ ପଢ଼ିବାକୁ ଆଗ୍ରହୀ ଥିବା ଆଶାୟୀ ଏବଂ ସେବିକାମାନଙ୍କୁ ନିୟୋଜିତ କରିବାକୁ ମଧ୍ୟ ଅଦାଲତ କହିଛନ୍ତି। ତେବେ ସର୍ବୋପରି ଯାବତୀୟ ପ୍ରାକ୍‌ପ୍ରସ୍ତୁତି ପ୍ରତି ସଜାଗ ନରହିଲେ ପରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ କେନ୍ଦ୍ର ସରକାର ହିଁ ଦାୟୀ ରହିବେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ ତାଗିଦ୍‌ କରିଛନ୍ତି।

The post କଠୋର ହେଉଛନ୍ତି ସୁପ୍ରିମକୋର୍ଟ; ତୃତୀୟ ଲହର ଆସୁଛି, ଶିଶୁଙ୍କୁ ବି ଟିକା ଦିଅ first appeared on Sambad.

from କରୋନା | Sambad https://ift.tt/3trzL7a