ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦରେ ‘ଡକ୍ଟର୍ ରେଡିସ୍ ଲାବ୍ରଟରିସ୍’ କୋଭିଡ୍-୧୯ ନିରୋଧୀ ରୁଷୀୟ ‘ସ୍ପୁଟ୍ନିକ୍-୫’ର ପ୍ରଥମ ଡୋଜ୍ ପ୍ରୟୋଗ କରିଛି। ରୁଷ୍ରୁ ଆମଦାନି କରାଯାଇଥିବା ଏହି ଟିକା ଭାରତୀୟ ବଜାରରେ ଡୋଜ୍ପିଛା ଟ.୯୯୫.୪୦ରେ ମିଳିବ। ପରେ ଭାରତରେ ଏହି ଟିକା ଉତ୍ପାଦନ ହେଲେ ମୂଲ୍ୟ ହ୍ରାସ ପାଇ ପାରେ ବୋଲି ‘ଡକ୍ଟର୍ ରେଡିସ୍ ଲାବ୍ରଟରିସ୍’ କହିଛି।
ଆଜି ସାମାନ୍ୟ ଆୟୋଜନରେ କୋଭିଡ୍ ଟିକା ‘ସ୍ପୁଟ୍ନିକ୍-୫’ର ଶୁଭାରମ୍ଭ କରାଯିବା ସହ ହାଇଦ୍ରାବାଦରେ ଟିକାର ପ୍ରଥମ ଡୋଜ୍ ପ୍ରୟୋଗ କରାଯାଇଛି ବୋଲି ଏକ ବିବୃତିରେ ‘ଡକ୍ଟର୍ ରେଡିସ୍ ଲାବ୍ରଟରିସ୍’ କହିଛି।
ଆଜି ହାଇଦ୍ରାବାଦସ୍ଥିତ ‘ଡକ୍ଟର୍ ରେଡିସ୍ ଲାବ୍ରଟରି’ରେ ‘ସ୍ପୁଟ୍ନିକ୍-୫’ର ପ୍ରଥମ ଡୋଜ୍ ନେଇଛନ୍ତି ‘କଷ୍ଟୁ୍ମ୍ ଫାର୍ମା ସର୍ଭିସ୍’ ବୈଶ୍ବିକ ମୁଖ୍ୟ ଦୀପକ ସାପ୍ରା।
ଏବେ ଆମଦାନି ହେଉଥିବା ଏହି ଟିକାର ‘ମ୍ୟାକ୍ସିମମ୍ ରିଟେଲ୍ ପ୍ରାଇସ୍’ ରହିଛି ୯୪୮ ଟଙ୍କା। ଡୋଜ୍ପିଛା ଟିକା ଉପରେ ୫% ‘ଜିଏସ୍ଟି’ ଲାଗୁ କରାଯାଉଛି। ସ୍ବଦେଶରେ ଉତ୍ପାଦନ ଓ ଯୋଗାଣ ଆରମ୍ଭ ହେଲେ ଏହାର ଦର ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ‘ଡକ୍ଟର୍ ରେଡିସ୍ ଲାବ୍ରଟରିସ୍’ ସୂଚନା ଦେଇଛି।
ମେ ପହିଲା ଦିନ ପ୍ରଥମ କରି ରୁଷ୍ର ଆସିଥିବା ଏହି ଟିକା ଭାରତରେ ପହଞ୍ଚିଥିଲା। ମେ ୧୩ ତାରିଖ ଦିନ ଏହି ଟିକା କସୌଲିସ୍ଥିତ ‘ସେଣ୍ଟ୍ରାଲ୍ ଡ୍ରଗ୍ସ୍ ଲାବ୍ରଟରି’ ଠାରୁ ‘ରେଗୁଲେଟରି କ୍ଲିଅରାନ୍ସ୍’ ପାଇଥିଲା। ଆଗାମୀ ମାସଗୁଡ଼ିକରେ ରୁଷ୍ ଭାରତକୁ ଅଧିକ ଟିକା ପଠାଇବ। ପରେ ପରେ ଭାରତରେ ‘ସ୍ପୁଟ୍ନିକ୍-୫’ର ଉତ୍ପାଦନ ଆରମ୍ଭ ହେବ।
‘ସ୍ପୁଟ୍ନିକ୍-୫’ ଟିକାର ଦୁଇଟି ଡୋଜ୍ କୋଭିଡ୍-୧୯ ସଂକ୍ରମଣରୁ ୯୧.୬% ସୁରକ୍ଷା ଦେବ ବୋଲି ରୁଷ୍ ଦାବି କରିଛି।
The post ହାଇଦ୍ରାବାଦରେ ରୁଷୀୟ ଟିକା ‘ସ୍ପୁଟ୍ନିକ୍-୫’ର ପ୍ରଥମ ଡୋଜ୍ ପ୍ରୟୋଗ କଲା ‘ଡକ୍ଟର୍ ରେଡିସ୍’; ଡୋଜ୍ପିଛା ମୂଲ୍ୟ ୯୯୫ ଟଙ୍କା first appeared on Sambad.from କରୋନା | Sambad https://ift.tt/2RQzU7p
0 Comments