ସମ୍ବଲପୁର : ଏମ୍‌ସିଏଲ୍‌ ସହାୟତାରେ ସମ୍ବଲପୁରରେ ହେବାକୁ ଥିବା ପ୍ରସ୍ତାବିତ କୋଭିଡ୍ ହସ୍‌ପିଟାଲ୍‌କୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ ବିଭିନ୍ନ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ମ୍ବଲପୁରରେ ଏମ୍‌ସିଏଲ୍‌ ଅନୁଦାନରେ ୧୫୦ ଶଯ୍ୟା ବିଶିଷ୍ଟ ସୁପର୍‌ ସ୍ପେସାଲିଟି କୋଭିଡ୍ ହସ୍‌ପିଟାଲ୍‌ କରିବାକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାର ଉତ୍ତରରେ ଶ୍ରୀ ଯୋଶୀ ଦେଇଥିବା ପତ୍ର ଆଧାରରେ ସମ୍ବଲପୁରରେ ଏମ୍‌ସିଏଲ୍‌ ଅନୁଦାନରେ ୧୫୦ ଶଯ୍ୟା ବିଶିଷ୍ଟ ସୁପର୍‌ ସ୍ପେସାଲିଟି କୋଭିଡ୍ ହସ୍‌ପିଟାଲ୍‌ କରାଯିବ ବୋଲି ଗତ ୧୩ ତାରିଖ ଦିନ ବିଜେପି ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜରିଆରେ ଘୋଷଣା କରା ଯାଇଥିଲା।

ସମ୍ବଲପୁରରେ ସୁପର୍‌ ସ୍ପେସାଲିଟି ଡାକ୍ତରଖାନା ସମେତ ବସୁନ୍ଧରା ଖଣି‌ କ୍ଷେତ୍ରରେ ୫୦ଟି ଅମ୍ଳଜାନ ସୁବିଧାଯୁକ୍ତ ଶଯ୍ୟା, ବ୍ରଜରାଜନଗରରେ ୫୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଭେଣ୍ଟିଲେଟର୍‌ ଯୁକ୍ତ ଡାକ୍ତରଖାନା, ଲଖନପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଭେଣ୍ଟିଲେଟର୍‌ ଯୁକ୍ତ ଡାକ୍ତରଖାନା ତଥା ତାଳଚେର କୋଭିଡ୍ ହସ୍‌ପିଟାଲ୍‌ରେ ଆଇସିୟୁ, ଭେଣ୍ଟିଲେଟର୍‌ ସମେତ ଆଉ ୧୫୦ ଶଯ୍ୟା ବୃଦ୍ଧି ପାଇଁ କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ ରାଜି ହୋଇଥିଲେ। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏମ୍‌ସିଏଲ୍‌ ପ୍ରବନ୍ଧନକୁ କହିଥିବା ଶ୍ରୀ ଯୋଶୀ ପତ୍ର ଲେଖି ଶ୍ରୀ ପ୍ରଧାନଙ୍କୁ ଜଣାଇଥିଲେ। ତେଣୁ ଶ୍ରେୟ ନେବାକୁ ବିଜେପି ପକ୍ଷରୁ ଆଗୁଆ ଘୋଷଣା କରାଯିବା ସହ ସ୍ଥାନୀୟ ସାଂସଦ ଓ ବିଧାୟକ ମାନେ ଉଭୟ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ବି ଜଣାଇଥିଲେ।

୧୫ ଦିନର ନିରବତା ପରେ ଗତ ୨୮ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏକ ପ୍ରେସ୍‌ ବିବୃତିରେ ଘୋଷଣା କଲେ ଯେ ସମ୍ବଲପୁରରେ ଏମ୍‌ସିଏଲ୍‌ ସହାୟତାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍‌ପିଟାଲ୍‌ ଖୋଲିବ ଯାହାର ନାମ ହେବ ବିକାଶ ସିଟି ହସ୍‌ପିଟାଲ୍। ଏଥିରେ ୮୦ଟି ଏଚ୍‌ଡିୟୁ, ୨୦ଟି ଆଇସିୟୁ ଶଯ୍ୟା ସହ ୧୦ଟି ଭେଣ୍ଟିଲେଟର୍‌ ରହିବ। ଏମ୍‌ସିଏଲ୍‌ ଏଥି ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେବ। ସେହିପରି ଏମ୍‌ସିଏଲ୍‌ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଖଣି ଅଞ୍ଚଳରେ ୩୦ ଆଇସିୟୁ, ୨୦ ଏଚ୍‌ଡିୟୁ ବିଶିଷ୍ଟ ଏକ ୫୦ ଶଯ୍ୟାର ହସ୍‌ପିଟାଲ୍ ଖୋଲାଯିବ। ଏହାଛଡ଼ା ତାଳଚେରଠାରେ ଥିବା ଡାକ୍ତରଖାନାରେ ୪୦ ଅକ୍ସିଜେନ୍ ଶଯ୍ୟାକୁ ୧୦୦କୁ ବୃଦ୍ଧି କରାଯିବ ଓ ସେଥିରେ ଥିବା ୧୦ ଆଇସିୟୁକୁ ୩୦କୁ ବଢ଼ାଯିବ ବୋଲି ଶ୍ରୀ ଦାସ ନିଜ ପ୍ରେସ୍‌ ବିବୃତିରେ ସୂଚନା ଦେଇଥିଲେ। ସୋମବାର ମନ୍ତ୍ରୀ ଶ୍ରୀ ଦାସ ସମ୍ବଲପୁର ଆସି ଏହି ଡାକ୍ତରଖାନା କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣା ପଡ଼ିଛି।

ଏହାପରେ ପୁଣି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏକ ଗସ୍ତ ସୂଚୀ ଜାରି ହୋଇଛି ଯହିଁରେ ସେ ଆସନ୍ତା ୨ ତାରିଖ ଦିନ ସମ୍ବଲପୁରର ପ୍ରସ୍ତାବିତ ଗୋଲବଜାର କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବେ ବୋଲି ଉଲ୍ଲେଖ ରହିଛି। ଏବେ ପ୍ରଶ୍ନ ଉଠୁଛି ଯେ ଗୋଟିଏ ଡାକ୍ତରଖାନାକୁ ନେଇ ଏତେ ସସ୍‌ପେନ୍‌ସ ବା ଦ୍ବନ୍ଦ୍ବ କାହିଁକି? କିଏ ଏହାକୁ ବିକାଶ ସିଟି ହସ୍‌ପିଟାଲ୍ କହୁଥିଲାବେଳେ କିଏ ଏହାକୁ ଗୋଲବଜାର ହସ୍‌ପିଟାଲ୍ କାହିଁକି କହୁଛି? ସମ୍ବଲପୁର ସହରର ସବୁଠୁ ଜନବହୁଳ ଅଞ୍ଚଳ ଗୋଲବଜାର୍‌ରେ ଥିବା ସ୍ପର୍ଶ ସିଟି ହସ୍‌ପିଟାଲ୍‌କୁ ଏମ୍‌ସିଏଲ୍‌ ଅନୁଦାନରେ କୋଭିଡ୍ ହସ୍‌ପିଟାଲ୍‌ରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି। ସେହିପରି ବରଗଡ଼ର ବିକାଶ ହସ୍‌ପିଟାଲ୍‌କୁ ଏହାର ପରିଚାଳନା ଭାର ଦିଆଯାଇଛି। ତେବେ କାଳେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବ ଏଥି ପାଇଁ ବର୍ତ୍ତମାନ କେହି ଡାକ୍ତରଖାନାର ନାମ ପ୍ରକାଶ କରୁ ନାହାନ୍ତି ବୋଲି ଆଲୋଚନା ହେଉଛି। ଏହାଛଡ଼ା ଏହି ହସ୍‌ପିଟାଲ୍‌ର ଶ୍ରେୟ ନେବାକୁ ବିଜେପି-ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି ନା ଶ୍ରେୟ ବାଣ୍ଟି ନେବାକୁ ଉଭୟ ପକ୍ଷ ମଧ୍ୟରେ ଅଲିଖିତ ସହମତି ହୋଇଯାଇଛି ତାହାକୁ ଜାଣିବାକୁ ବି ରାଜନୈତିକ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି। ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ଯେ ପୂର୍ବରୁ କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ ୧୫୦ ଶଯ୍ୟା ବିଶିଷ୍ଟ ସୁପର୍‌ସ୍ପେସାଲିଟି କୋଭିଡ୍ ହସ୍‌ପିଟାଲ୍ କଥା ଉଲ୍ଲେଖ କରିଥିଲାବେଳେ ବାକି ୫୦ ଶଯ୍ୟା ଗଲା କୁ‌ଆଡ଼େ? ବର୍ତ୍ତମାନର ପ୍ରସ୍ତାବିତ ହସ୍‌ପିଟାଲ୍‌ର ନାମରୁ ସୁପର୍‌ସ୍ପେସାଲିଟି ଶବ୍ଦ କାଟି ଦିଆଗଲା କାହିଁକି?

ଏମ୍‌ସିଏଲ୍‌ ଏହି ଡାକ୍ତରଖାନା ପାଇଁ କେତେ ଟଙ୍କା ଅନୁଦାନ ଦେବ? ହସ୍‌ପିଟାଲ୍ କାର୍ଯ୍ୟକାରୀ ହେଲା ବେଳକୁ ଏହାର ଆବଶ୍ୟକତା କେତେ ଥିବ? ଜନବହୁଳ ଅଞ୍ଚଳରେ କୋଭିଡ୍ ହସ୍‌ପିଟାଲ୍ ସ୍ଥାପନ ହେଉଥିବାରୁ ସାଧାରଣ ଲୋକଙ୍କ ନିରାପତ୍ତା ପାଇଁ କଣ ସବୁ ବ୍ୟବସ୍ଥା କରାଯିବ? ଉଭୟ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଗସ୍ତ ସମୟରେ ଏସବୁ ପ୍ରଶ୍ନର ଉତ୍ତର ଦେଇ ଲୋକଙ୍କ ମନରେ ଉପୁଜୁଥିବା ଦ୍ବନ୍ଦ୍ବ ଦୂର କରିବେ ବୋଲି ବୁଦ୍ଧିଜୀବୀ ମାନେ ଆଶା ବ୍ୟକ୍ତ କରିଛନ୍ତି।

The post ସମ୍ବଲପୁରରେ ପ୍ରସ୍ତାବିତ କୋଭିଡ୍‌ ହସ୍‌ପିଟାଲ୍‌କୁ ନେଇ ଦ୍ୱନ୍ଦ୍ୱ first appeared on Sambad.

from କରୋନା | Sambad https://ift.tt/2ToI6MF