
ଭୁବନେଶ୍ବର: ୪୫ବର୍ଷରୁ କମ୍ ଲୋକଙ୍କୁ ଏବେ ସୁଦ୍ଧା ଟିକା ଦିଆଯାଇନଥିବାରୁ ଏହି ବର୍ଗର ଯାତ୍ରୀମାନେ ବିମାନ/ଟ୍ରେନ୍ରେ ଯାତ୍ରା କରିବା ପୂର୍ବରୁ ବହୁତ ହଇରାଣ ହେଉଛନ୍ତି। କେବଳ ଆମ ରାଜ୍ୟରେ ନୁହେଁ, ବାହାର ରାଜ୍ୟରେ ମଧ୍ୟ। ଯେଉଁ ଲୋକମାନେ ଆର୍ଟିପିସିଆର୍ ଟେଷ୍ଟ କରୁଛନ୍ତି, ସେମାନଙ୍କର ପଜିଟିଭ୍ ନଆସିଲେ ସେମାନଙ୍କ ମୋବାଇଲ୍କୁ ମେସେଜ୍ ଆସୁନି କି ଟେଷ୍ଟ କରିବାର ୨୪ ଘଣ୍ଟା ଭିତରେ ସାର୍ଟିଫିକେଟ୍ ମିଳୁନି। ଫଳରେ ଯାତ୍ରାର ୭୨ଘଣ୍ଟା ପୂର୍ବରୁ ଯେଉଁମାନେ ଟେଷ୍ଟ କରୁଛନ୍ତି, ସେମାନେ ବହୁତ ହଇରାଣ ହେଉଛନ୍ତି। ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟ କଲେ ବିଳମ୍ବରେ ରିପୋର୍ଟ ମିଳୁଥିବାରୁ ଲୋକମାନେ ଘରୋଇ ହସ୍ପିଟାଲରେ ଅଧିକ ଅର୍ଥ ଦେଇ ଟେଷ୍ଟ କରୁଛନ୍ତି। ଆଉ ରିପୋର୍ଟ ଆଣିବାକୁ ହସ୍ପିଟାଲରେ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।
ଫଳରେ ଯେଉଁମାନଙ୍କର ଆର୍ଟିପିସିଆର୍ ଟେଷ୍ଟରେ ନେଗେଟିଭ୍ ଆସୁଛି, ସେମାନେ ରିପୋର୍ଟ ଆଣିବା ପରେ ପରବର୍ତ୍ତୀ ସମୟରେ କରୋନା ଆକ୍ରାନ୍ତ ହେଉଛନ୍ତି। ତେଣୁ ଯେଉଁମାନେ ଆର୍ଟିପିସିଆର୍/ଆଣ୍ଟିଜେନ୍ ଟେଷ୍ଟ କରୁଛନ୍ତି, ସେମାନଙ୍କ ମୋବାଇଲ୍କୁ ଟେଷ୍ଟ ରିପୋର୍ଟ ପଠାଇବାକୁ ଏବେ ଦାବି ହେଉଛି। ଏହା ହେଲେ ଲୋକଙ୍କୁ ରିପୋର୍ଟ ଆଣିବାକୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ନ୍ତାନି କି ପରବର୍ତ୍ତୀ ସମୟରେ କରୋନା ଆକ୍ରାନ୍ତ ହେବାର ଭୟ ରୁହନ୍ତାନି।
ଭୁବନେଶ୍ବର: ରାଜଧାନୀରେ କରୋନା ଅାକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବାବେଳେ ବିଏମ୍ସି ପକ୍ଷରୁ କୋଭିଡ ପରୀକ୍ଷା ଜୋରଦାର୍ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜଧାନୀର ୨୪ଟି ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ ପରୀକ୍ଷା ହେଉଛି। ଏଥିରେ ରାଜଧାନୀରେ କେବଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଟେଷ୍ଟିଂ ସଂଖ୍ୟା ୩୨୦୦ ଟପିଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ତାରିଖରେ ୩୨୧୭ଜଣ ପରୀକ୍ଷା କରିଥିବାବେଳେ ୨୨ରେ ୨୯୧୩ଜଣ, ୨୧ରେ ୩୦୩୬ଜଣ କୋଭିଡ ପରୀକ୍ଷା କରିଛନ୍ତି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କର କୋଭିଡ ସମ୍ବନ୍ଧୀୟ କିଛି ଲକ୍ଷଣ ଦେଖାଯାଉଛି ବି କେହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଜାଣୁଛନ୍ତି ତେବେ ତୁରନ୍ତ କୋଭିଡ ପରୀକ୍ଷା କରାଇ ନିଅନ୍ତୁ।
The post ଆର୍ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ପାଇଁ ଲମ୍ବା ଧାଡ଼ି, ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟେଷ୍ଟିଂ ବଢ଼ୁଛି first appeared on Sambad.from କରୋନା | Sambad https://ift.tt/3nhkPr7
0 Comments