
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭର୍ଚୁଆଲ୍ ବୈଠକ କରିଛନ୍ତି। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପ୍ରିଲ ୧୪ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ଭାବେ ପାଳନ ହେବ ଏବଂ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଯିବ। କରୋନା ମୁକାବିଲା ପାଇଁ ମାସ୍କଠାରୁ ଆରମ୍ଭ କରି ଟିକା ପର୍ଯ୍ୟନ୍ତ ସବୁ କିଛି ଉପଲବ୍ଧ ଅଛି। କରୋନା ମୁକୁଳିବାର ରାସ୍ତା ହେଉଛି ଟେଷ୍ଟିଂ ଏବଂ ୭୦% ଆର୍ଟି-ପିସିଆର୍ ଟେଷ୍ଟ୍ ଆମର ଟାର୍ଗେଟ୍। ଦେଶବ୍ୟାପୀ ଆର୍ଟି-ପିସିଆର୍ ଟେଷ୍ଟ ବଢ଼ାଇବା ଏବଂ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଉପରେ ଅଧିକ ଫୋକସ୍ କରିବାକୁ ହେବ।
ବୈଠକରେ ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଥିଲେ ଯେ ଯେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଥିବା ସମସ୍ତ ବୟସ୍କ ନାଗରିକଙ୍କୁ ଟିକା ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦିଆଯାଉ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାଜ୍ୟର ଜଟିଳ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସହାୟତା ପ୍ରଦାନ କରିବାକୁ କହିଥିଲେ। ମହାରାଷ୍ଟ୍ର, ଛତିଶଗଡ଼ ସମେତ ବିଭିନ୍ନ ରାଜ୍ୟ କୋଭିଡ୍ ଡୋଜ୍ ପର୍ଯ୍ୟାପ୍ତ ଉପଲବ୍ଧ ନଥିବା କହିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଅତିକମରେ ୧୦ ଦିନ ପାଇଁ ଟିକା ମହଜୁଦ ରଖାଯାଉ।
The post ୧୧ରୁ ୧୪ ‘ଟିକା ଉତ୍ସବ’ first appeared on Sambad.from କରୋନା | Sambad https://ift.tt/3d1W66m
0 Comments