ନୂଆଦିଲ୍ଲୀ: ମୌଖିକ ମନ୍ତବ୍ୟ ସଂକ୍ରାନ୍ତରେ ରିପୋର୍ଟ କରିବାରୁ ଗଣମାଧ୍ୟମକୁ ନିବୃତ୍ତ କରାଇବା ପାଇଁ ଆଜି ନିର୍ବାଚନ କମିସନ୍‌ ମାଡ୍ରାସ୍‌ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ରାଜନୈତିକ ରାଲି ବନ୍ଦ ନ କରାଇଥିବାରୁ ନିର୍ବାଚନ କମିସନ୍‌ କର୍ମଚାରୀମାନଙ୍କ ବିରୋଧରେ ‘ନରହତ୍ୟା ଅଭିଯୋଗ’ ଦାଏର କରାଯିବା ଉଚିତ ବୋଲି ଅଳ୍ପ ଦିନ ତଳେ ମାଡ୍ରାସ୍‌ ହାଇକୋର୍ଟ ମନ୍ତବ୍ୟ ଦେଇଥିଲେ। ଏହି ତୀବ୍ର ସମାଲୋଚନାମୂଳକ ମନ୍ତବ୍ୟକୁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିବା ପରେ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ଏହାଛଡ଼ା, ନିର୍ବାଚନ କମିସନ୍‌ ମଧ୍ୟ ଯୁକ୍ତି ବାଢ଼ିଛି ଯେ, କୋଭିଡ୍‌ ସଂକ୍ରମଣ ବୃଦ୍ଧିରେ ନିର୍ବାଚନ ପ୍ରଚାର ଅଭିଯାନ ପ୍ରମୁଖ କାରଣ ବୋଲି କହିବା ଅଯୌକ୍ତିକ। ତାହା ଭୋଟ୍‌ ହୋଇଥିବା ଏବଂ ଭୋଟ୍‌ ହୋଇ ନ ଥିବା ରାଜ୍ୟମାନଙ୍କର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ଜଣାପଡ଼ିବ।

Image Courtesy of India Today

ଦାଏର କରିଥିବା ପିଟିସନ୍‌ରେ ନିର୍ବାଚନ କମିସନ୍‌ କହିଛି, ‘ଆଜିର ପରିସ୍ଥିତି ପାଇଁ ନିର୍ବାଚନ କମିସନ୍ ହିଁ ଏକମାତ୍ର ଦାୟୀ’ ଏବଂ ‘ନିର୍ବାଚନ କମିସନ୍‌ ନରହତ୍ୟା ଅଭିଯୋଗର ସମ୍ମୁଖୀନ ହେବ’ ବୋଲି ମାଡ୍ରାସ୍‌ ହାଇକୋର୍ଟ ଦେଇଥିବା ମୌଖିକ ମନ୍ତବ୍ୟକୁ ଗଣମାଧ୍ୟମ ଯେଭଳି ରିପୋର୍ଟ କରିଛି, ସେଥିରେ କମିସନ ମର୍ମାହତ ହୋଇପଡ଼ିଛି।

ସ୍ବାଧୀନ ସାମ୍ବିଧାନିକ ଏଜେନ୍‌ସି ଭାବେ କାର୍ଯ୍ୟ କରୁଥିବା ‘ଭାରତର ନିର୍ବାଚନ କମିସନ୍‌’କୁ ଦେଶରେ ନିର୍ବାଚନ କରାଇବା ଲାଗି ସାମ୍ବିଧାନିକ ଦାୟିତ୍ବ ନ୍ୟସ୍ତ କରାଯାଇଛି। ତେଣୁ ଏଭଳି ଗଣମାଧ୍ୟମ ରିପୋର୍ଟ ସବୁ ଏହି ପ୍ରତିଷ୍ଠାନର ମର୍ଯ୍ୟାଦାହାନୀ କରିଛି।

ଗଣମାଧ୍ୟମରେ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗରେ ‘ଉପନିର୍ବାଚନ କମିସନର୍‌’ଙ୍କ ନାମରେ ଥାନାରେ ‘ନରହତ୍ୟା’ ଅଭିଯୋଗ ଦାଏର କରାଯାଇଥିବା କଥା ମଧ୍ୟ ଏହି ପିଟିସନ୍‌ରେ ନିର୍ବାଚନ କମିସନ୍ ଉଲ୍ଲେଖ କରିଛି।

The post ମୌଖିକ ମନ୍ତବ୍ୟ ସଂକ୍ରାନ୍ତରେ ରିପୋର୍ଟ କରିବାରୁ ଗଣମାଧ୍ୟମକୁ ନିବୃତ୍ତ କରାନ୍ତୁ: ଅଦାଲତଙ୍କୁ କହି‌ଲା ନିର୍ବାଚନ କମିସନ୍ first appeared on Sambad.

from କରୋନା | Sambad https://ift.tt/2RdpAWI