
ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୨୫ଜଣ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ବିଏମ୍ସି କାର୍ଯ୍ୟାଳୟରେ ରିପୋର୍ଟ କରିବା ଲାଗି କୁହାଯାଇଛି। ତେବେ ଆୟୁଷ ଡାକ୍ତରଙ୍କ ପୁନର୍ବାର ନିୟୋଜିତ ହେବାକୁ ତୀବ୍ର ବିରୋଧ କରିଛି ରାଜ୍ୟ ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘ। ପୂର୍ବରୁ ସେମାନେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇଥିଲେ ହେଁ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ମିଳି ନାହିଁ। ଏହାସହ ରାଜ୍ୟ ସରକାର ଆୟୁର୍ବେଦିକ ଡାକ୍ତରଙ୍କ ଅନ୍ୟ ଦାବି ପୂରଣ କରିବାରେ ପଦକ୍ଷେପ ନେଉ ନଥିବାରୁ ସଂଘ ଏଭଳି ନିର୍ଦ୍ଦେଶର ବିରୋଧ କରିଥିବା କହିଛି।
ଗତବର୍ଷ ରାଜଧାନୀରେ କୋଭିଡ୍ ସଂକ୍ରମଣ ପାଇଁ ଶହେରୁ ଅଧିକ ଆୟୁଷ ଡାକ୍ତର କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇଥିଲେ। ସଂକ୍ରମଣ ହ୍ରାସ ପାଇବା ପରେ ସେମାନଙ୍କୁ ନିଜ ନିଜ ସ୍ଥାନକୁ ଫେରାଇ ନିଆଯାଇଥିଲା। ମାତ୍ର ପୁଣିଥରେ ରାଜଧାନୀରେ ସଂକ୍ରମଣ ବଢ଼ିବାରୁ ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରଙ୍କୁ ବିଏମ୍ସିର କୋଭିଡ୍ ଡ୍ୟୁଟିରେ ନିୟୋଜିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।
ଅପରପକ୍ଷରେ ରାଜ୍ୟ ଆୟୁର୍ବେଦିକ ଚିକିତ୍ସକ ସଂଘର ଦାବି ହେଉଛି, ଗତବର୍ଷ ଆୟୁଷ ଡାକ୍ତର ବିଏମ୍ସିରେ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ଏ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ରାଶି ମିଳି ନାହିଁ। ଏହାସହ ରାଜ୍ୟରେ କାର୍ଯ୍ୟରତ ୯୭ ପ୍ରତିଶତ ଆୟୁର୍ବେଦିକ ଡାକ୍ତର ବିନା ପଦୋନ୍ନତିରେ ଅବସର ଗ୍ରହଣ କରୁଛନ୍ତି। ଆୟୁର୍ବେଦିକ ଡାକ୍ତରଙ୍କ ମୂଳ ପଦ ପ୍ରଥମ ଶ୍ରେଣୀ ଥିବା ବେଳେ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଆୟୁର୍ବେଦିକ ଡାକ୍ତରଙ୍କ କ୍ୟାଡର୍ ପୁନର୍ବିନ୍ୟାସ, ମୂଳ ପଦକୁ ପ୍ରଥମ ଶ୍ରେଣୀ ପାହ୍ୟା ମାନ୍ୟତା ପ୍ରଦାନ, ସ୍ବତନ୍ତ୍ର ଆୟୁଷ ବିଭାଗ ସୃଷ୍ଟି କରିବା, ଅବସର ବୟସ ୬୫କୁ ବୃଦ୍ଧି କରିବାକୁ ସଂଘର ସଭାପତି ଡା. ସୁନିଲ ରଥ ଓ ସଂପାଦକ ଡା. ଚିତ୍ତରଂଜନ ବେହେରା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।
The post କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ ୨୫ ଆୟୁଷ ଡାକ୍ତର first appeared on Sambad.from କରୋନା | Sambad https://ift.tt/3fLlEH0
0 Comments