ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବରର ୨୨ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ କରୋନା ଟିକାର ପ୍ରଥମ ଡୋଜ୍‌, ୩୯ ପ୍ରତିଶତ ଦ୍ବିତୀୟ ଡୋଜ୍‌ ନେଇ ନାହାନ୍ତି। ଏପ୍ରିଲ ୧୭ ତାରିଖ ସୁଦ୍ଧା ଏମ୍‌ସ ପକ୍ଷରୁ ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଡାକ୍ତରୀ ଛାତ୍ର, ଠିକା କର୍ମଚାରୀ ମୁଖ୍ୟତଃ କୋଭିଡ୍‌ ଟିକା ନେବାରେ ଆଗ୍ରହ ପ୍ରକାଶ କରୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଏମ୍‌ସ ନିର୍ଦେଶିକା ଗୀତାଞ୍ଜଳି ବି. ପ୍ରଥମ ଡୋଜ୍‌ କୋଭିଡ୍‌ ଟିକା ନେବା ସହିତ ଜାନୁଆରି ୧୬ ତାରିଖରେ ଏମ୍‌ସରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ଡୋଜ୍‌ ଟିକା ନେବାର ଫଟୋଟି ନିର୍ଦେଶିକା ସୋସିଆଲ ମିଡିଆରେ ଛାଡ଼ିବା ସହିତ ଦେଶର ସର୍ବବୃହତ ଟିକାକରଣ ଅଭିଯାନରେ ସାମିଲ ହୋଇଥିବା ନେଇ ଗର୍ବ ଅନୁଭବ କରିଥିବା କହିଥିଲେ। ହେଲେ ତାଙ୍କ ଡାକ୍ତରଖାନାରେ ସଫେଇ, ସ୍ବାସ୍ଥ୍ୟକର୍ମୀମାନଙ୍କୁ ଏହା ଆକର୍ଷିତ କରିପାରିନଥିଲା। ପ୍ରଥମରୁ ଅନେକ ଏଥିପ୍ରତି ଆଗ୍ରହ ମଧ୍ୟ ପ୍ରକାଶ କରିନଥିଲେ। ଏଥିଯୋଗୁଁ ସେମାନଙ୍କୁ ଚେତାବନୀ ମଧ୍ୟ ଯାଇଥିଲା। ଗତ ୩ ମାସ ମଧ୍ୟରେ ଏହି କର୍ମଚାରୀଙ୍କ ମଧ୍ୟରୁ ଅନେକ ଟିକା ନେଇ ସାରିଥିଲେ ବି ବେଶ୍‌ କିଛି କର୍ମଚାରୀ ନେଇନାହାନ୍ତି। ଅନ୍ୟପକ୍ଷରେ ୩ ମାସ ମଧ୍ୟରେ ରାଜ୍ୟରେ ଥିବା ଅନ୍ୟାନ୍ୟ ଡାକ୍ତରଖାନାର ସ୍ବାସ୍ଥ୍ୟକର୍ମୀମାନେ କୋଭିଡ୍‌ ଟିକା ନେଇ ସାରିଛନ୍ତି। ଏମ୍‌ସ କର୍ମଚାରୀ କିନ୍ତୁ ଏଥିରେ ପଛରେ ପଡ଼ିବା ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟରତ ୪୪୪୭ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୩୪୫୭ଜଣ କୋଭାକ୍ସିନର ପ୍ରଥମ ଡୋଜ୍‌, ୨୭୧୯ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ଅପରପକ୍ଷରେ ଏଠାରେ ଟିକାକରଣ ଅଭିଯାନ ଚାଲୁଛି। ବର୍ତ୍ତମାନ ମଧ୍ୟ କର୍ମଚାରୀ ଟିକା ନେଉଥିବା ସୂଚନା ଦିଆଯାଇଛି। ସମସ୍ତ ସ୍ଥାୟୀ ଡାକ୍ତର, ନର୍ସ ଟିକା ନେଇ ସାରିଥିବା କୁହାଯାଇଛି। ଅନ୍ୟଦିଗରେ କରୋନା ଦୁଇ ଡୋଜ୍‌ ନେଇ ସଂକ୍ରମିତଙ୍କ ମଧ୍ୟରେ ଜଣେ ଡାକ୍ତର ଅଛନ୍ତି। ଅନ୍ୟ ଯେଉଁ କର୍ମଚାରୀ ସଂକ୍ରମିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଦ୍ବିତୀୟ ଡୋଜ୍‌ ନେଇ ନଥିବା ଜଣାପଡ଼ିଛି।

The post ଟିକା ନେବାକୁ ଏମ୍‌ସ ସ୍ବାସ୍ଥ୍ୟକର୍ମୀ କୁନ୍ଥକୁନ୍ଥ first appeared on Sambad.

from କରୋନା | Sambad https://ift.tt/3eocAW1