କୋଲକାତା: କୋଲକାତା ଏବଂ ଏହାର ଉପକଣ୍ଠରେ ଆର୍‌ଟି-ପିସିଆର୍ ପରୀକ୍ଷଣ କରାଯାଉଥିବା ପ୍ରତି ଦୁଇ ଜଣଙ୍କ ନମୁନାରୁ ଜଣଙ୍କ ଠାରେ କରୋନାଭୂତାଣୁ ପଜିଟିଭ୍‌ ବାହାରୁଥିବା ଜଣାଯାଇଛି। ସେହିପରି ରାଜ୍ୟର ଅନ୍ୟ ସ୍ଥାନରୁ ଆସୁଥିବା ନମୁନାରୁ ପ୍ରତି ଚାରିଟିରେ ଗୋଟିଏ ପଜିଟିଭ୍‌ ବାହାରୁଛି। ଚଳିତ ମାସ ପ୍ରାରମ୍ଭରେ ପ୍ରତି ୨୦ଟି ନମୁନା ପରୀକ୍ଷଣରେ ଗୋଟିଏ ପଜିଟିଭ୍‌ ବାହାରୁଥିଲା। ସୁତରାଂ ଏଇ ତିନି ସପ୍ତାହ ଭିତରେ ସଂକ୍ରମଣ ପାଞ୍ଚଗୁଣା ବଢ଼ିଥିବା ସ୍ପଷ୍ଟ ହୋଇଛି। କୋଲକାତା ଓ ଏହାର ଆଖପାଖ ପରୀକ୍ଷାଗାରମାନଙ୍କରେ ହେଉଥିବା ନମୁନା ପରୀକ୍ଷଣରୁ କୋଭିଡ୍‌ ପଜିଟିଭ୍‌ ହାର ୪୫%ରୁ ୫୫% ରହିଥିବା ବେଳେ ଅନ୍ୟ ସ୍ଥାନମାନଙ୍କରେ ଏହା ୨୪% ରହିଛି। ଅପରପକ୍ଷେ, ତିନି ସପ୍ତାହ ତଳେ ଏହା ମାତ୍ର ୫% ଥିଲା ବୋଲି ଏକ ପ୍ରମୁଖ ପରୀକ୍ଷାଗାରର ବିଶେଷଜ୍ଞ କହିଛନ୍ତି।

ଗତ ପହିଲାରେ ମୋଟ ପରୀକ୍ଷିତ ୨୫,୭୬୬ ନମୁନାରୁ ୧,୨୭୪ ବା ୪.୯ ପ୍ରତିଶତ ପଜିଟିଭ୍‌ ବାହାରିଥିବା ବେଳେ ଶନିବାର(୨୪ ତାରିଖ)ରେ ମୋଟ ପରୀକ୍ଷିତ ୫୫,୦୬୦ ନମୁନାରୁ ୧୪,୨୮୧ ବା ୨୫.୯ ପ୍ରତିଶତ ପଜିଟିଭ୍‌ ଥିବା ସେ କହିଛନ୍ତି। ତେବେ ପରୀକ୍ଷଣରୁ ବାହାରୁଥିବା ଏହି ସଂଖ୍ୟା ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟାର ଯଥେଷ୍ଟ କମ୍‌ ବୋଲି ସେ ଅନୁମାନ ଲଗାଇଛନ୍ତି। କାରଣ ଅନେକ ଲକ୍ଷଣବିହୀନ କୋଭିଡ୍‌ ପୀଡ଼ିତ ରହିଥିବା ବେଳେ ଅନେକ ଲକ୍ଷଣଧାରୀ ମଧ୍ୟ ନମୁନା ପରୀକ୍ଷଣ କରିବାକୁ ପସନ୍ଦ କରୁନାହାନ୍ତି ବୋଲି ସେ କହିଛନ୍ତି।

The post କୋଲକାତାରେ ପ୍ରତି ଦୁଇ ଜଣଙ୍କ ନମୁନାରେ ଜଣେ ପଜିଟିଭ୍‌ first appeared on Sambad.

from କରୋନା | Sambad https://ift.tt/3dQ7hjb