ଭୁବନେଶ୍ବର : ପ୍ରକୃତରେ ରାଜଧାନୀରେ କେତେ ଲୋକ କରୋନା ଆକ୍ରାନ୍ତ ହେଲେଣି? ଏବେ କେତେ ସକ୍ରିୟ ଆକ୍ରାନ୍ତ ଅଛନ୍ତି? ବିଏମ୍‌ସି ଟୁଇଟ୍‌ କରି ଗୋଟେ ତଥ୍ୟ ଦେଉଛି, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ରେ ଆଉ ଗୋଟିଏ ତଥ୍ୟ ଅପ୍‌ ଟୁ ଡେଟ୍ ହେଉଛି। ବିଏମ୍‌ସି ହିସାବରେ ରାଜଧାନୀରେ ୪୨୭ଜଣ ସକ୍ରିୟ ଆକ୍ରାନ୍ତ। କିନ୍ତୁ ବିଏସ୍‌ସିଏଲ୍‌ ଡାଟାବେସ୍‌ରେ ୫୪୬ଜଣ ସକ୍ରିୟ ଆକ୍ରାନ୍ତ ଭୁବନେଶ୍ବରରେ ଅଛନ୍ତି। ଭୁବନେଶ୍ବରର କରୋନା ଆକ୍ରାନ୍ତଙ୍କୁ ନେଇ ଡାଟାବେସ୍ ପ୍ରସ୍ତୁତ କରୁଥିବା ଦୁଇଟି ସଂସ୍ଥା କିପରି ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି।

ରାଜଧାନୀରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, କେଉଁ ଅଞ୍ଚଳରେ ଚିହ୍ନଟ ହେଉଛନ୍ତି ତା’ର ଟିକିନିଖି ତଥ୍ୟ ବିଏସ୍‌ସିଏଲ୍‌ କର୍ମଚାରୀମାନେ ଅପ୍‌ ଟୁ‌ ଡେଟ୍ କରୁଛନ୍ତି। ବିଏସ୍‌ସିଏଲ୍‌ ଓ ବିଏମ୍‌ସିର ମୁଖିଆ ଜଣେ। ତାଙ୍କ ନିର୍ଦ୍ଦେଶରେ ସବୁ ହେଉଛି। ହେଲେ ଲୋକଙ୍କୁ ଗୋଟିଏ ତଥ୍ୟ ପ୍ରତିଦିନ ଦିଆଯାଉଛି, ଆଉ ବିଏସ୍‌ସିଏଲ୍‌ ୱେବସାଇଟ୍‌ରେ ଆଉ ଗୋଟିଏ ତଥ୍ୟ ଅପ୍‌ ଟୁ ଡେଟ୍ ହେଉଛି।

ବିଏମ୍‌ସିର ହିସାବ ଅନୁଯାୟୀ, ରାଜଧାନୀରେ ମୋଟ୍‌ ୩୨୬୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯୫୮ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ସୁଦ୍ଧା ୨୫୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୨୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବିଏସ୍‌ସିଏଲ୍‌ର ହିସାବ ଅନୁଯାୟୀ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୩୨୮୬୯ ଜଣ କରୋନା ଆକ୍ରାନ୍ତ ହୋଇସାରିଲେଣି। ଏଥିରୁ ୩୧୮୮୧ଜଣ ସୁସ୍ଥ ହୋଇଛନ୍ତି। ମାତ୍ର ୯୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୫୪୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଯଦି ବିଏସ୍‌ସିଏଲ୍‌ ହିସାବକୁ ଠିକ୍‌ ନିଆଯାଏ ତେବେ ୨୧୩ଜଣ ଆକ୍ରାନ୍ତ କୁଆଡ଼େ ଗଲେ? ଯଦି ବିଏମ୍‌ସି ହିସାବକୁ ଠିକ୍ କୁହାଯା‌ଏ ତେବେ ୧୫୯ ଜଣ ମୃତକଙ୍କୁ ବିଏସ୍‌ସିଏଲ୍‌ କାହିଁକି ଲୁଚାଇଛି? ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଯଦି ଏମିତି ସ୍ମାର୍ଟ ଉପାୟରେ ତଥ୍ୟ ଅପ୍‌ ଟୁ ଡେଟ୍ ହେବ ତେବେ ଲୋକ ବାଉଳା ହେବା ଥୟ।

ବିଏମ୍‌ସି କର୍ତ୍ତୃପକ୍ଷ ତଥ୍ୟ ଲୁଚାଇବାକୁ ଯାଇ ଏହିପରି ଚାଲ୍‌ କରୁଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ରାଜଧାନୀରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ର ତଥ୍ୟ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଡାଟାବେସ୍‌ରେ ରଖୁଛନ୍ତି। କିନ୍ତୁ ବିଏମ୍‌ସି ଏକସଙ୍ଗେ ଅଧିକ ଆକ୍ରାନ୍ତଙ୍କ ତାଲିକା ଘୋଷଣା ନକରି ଅଳ୍ପ ଅଳ୍ପ କରି ଘୋଷଣା କରୁଛି। ଫଳରେ ବିଏମ୍‌ସି ଓ ବିଏସ୍‌ସିଏଲ୍ ତଥ୍ୟରେ ତାଳମେଳ ରହୁନି। ଏପରିକି ଖୋର୍ଦ୍ଧା ଜିଲ୍ଲାରେ ଯେତେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି, ସେହିଦିନ ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ସେତିକି ହେଉନି। ଏନେଇ ବି ବିଏମ୍‌ସି କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରୁନାହାନ୍ତି।

ବିଏସ୍‌ସିଏଲ୍‌ ତଥ୍ୟକୁ ହିସାବକୁ ନେଲେ ବସ୍ତିରେ ପୁଣି କରୋନା ଆକ୍ରାନ୍ତ ବାହାରିଲେଣି। କରୋନା ମୁକ୍ତ ହୋଇଥିବା ରାଜଧାନୀ ବସ୍ତିରେ ଏବେ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମୋଟ୍‌ ୫୪୬ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୫ଜଣ ପୁରୁଷ, ୨୦୧ ଜଣ ମହିଳା ଆକ୍ରାନ୍ତ ଅଛନ୍ତି।

The post କାହା ତଥ୍ୟ ଠିକ୍? ବିଏମ୍‌ସି କହୁଛି ୪୨୭ ସକ୍ରିୟ, ବିଏସ୍‌ସିଏଲ୍‌ କହୁଛି ୫୪୬ ସକ୍ରିୟ first appeared on Sambad.

from କରୋନା | Sambad https://ift.tt/3cQmXTa