
ନୂଆଦିଲ୍ଲୀ : ରବିବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ୯୩,୨୪୯ଟି ନୂତନ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୮୫, ୫୦୯ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି। ସୂଚନା ଥାଉ କି, ଦେଶରେ ଗତବର୍ଷ ସେପ୍ଟେମ୍ବର ୧୮ ତାରିଖରେ ହିଁ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ୯୩,୦୦୦ ଟପିଥିଲା ବେଳେ ସଂକ୍ରମଣର ଏହି ଦ୍ବିତୀୟ ଲହରରେ ମାତ୍ର ୫୫ ଦିନ ଭିତରେ ଏହି ସଂଖ୍ୟା ଅତିକ୍ରାନ୍ତ ହୋଇଛି।
ସେହିପରି ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଲଗାତାର ସଂକ୍ରମଣ ବୃଦ୍ଧି ଦେଖାଦେବା ସହ କେବଳ ଏହି ଆଠଟି ରାଜ୍ୟରେ ହିଁ ଦେଶର ମୋଟ ନୂତନ ସଂକ୍ରମଣର ୮୧.୪୨ ପ୍ରତିଶତ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଦୈନିକ ୫୭,୦୭୪ ମାମଲା ସହ ସର୍ବାଧିକ ସଂକ୍ରମଣ ବିସ୍ଫୋରଣର ଅପକୀର୍ତ୍ତି ମୁଣ୍ଡାଇଛି। ଅପରପକ୍ଷେ, ଦେଶରେ ଏହି ୨୪ ଘଣ୍ଟା ଭିତରେ ସଂକ୍ରମିତଙ୍କ ମଧ୍ୟରୁ ୫୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧,୬୪,୬୨୩ ହୋଇଛି। ସେହିପରି ଏହି ଅବଧି ମଧ୍ୟରେ ମୋଟ ୬୦,୦୪୮ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୨୯,୨୮୯ରେ ପହଞ୍ଚିଛି। ଆଜି ସୁଦ୍ଧା ଦେଶରେ ୭,୫୯,୭୯,୬୫୧ ଜଣଙ୍କର ଟିକାକରଣ ସରିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
The post ଦୈନିକ ନୂଆ ସଂକ୍ରମଣ ୯୩,୦୦୦ ଟପିଲା first appeared on Sambad.from କରୋନା | Sambad https://ift.tt/3fOvtnc
0 Comments