ବଲାଙ୍ଗୀର : ଚାଲି ଚାଲି ଯାଇ ହସପିଟାଲରେ ଭର୍ତ୍ତି ହେଉଛନ୍ତି କରୋନା ‌ରୋଗୀ। ଘଣ୍ଟେ ଦୁଇଘଣ୍ଟା ଭିତରେ ଶବ ହୋଇ ବାହାରୁଛନ୍ତି। ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଏପରି କିଛି ଦୃଶ୍ୟ କରୋନାର କରାଳତାକୁ ସାମ୍‌ନାକୁ ଆଣିଛି। ବଲାଙ୍ଗୀର ଜିଲ୍ଲାରେ କରୋନାର ଭୟଙ୍କର ପରିସ୍ଥିତିର ବି ସ୍ପଷ୍ଟ ଚିତ୍ର ଦେଇଛି।

ସୂଚନା ଅନୁସାରେ, କରୋନା ଆଇସୋଲେସନ ୱାର୍ଡରେ ଜଣେବ୍ୟକ୍ତି ନିଜ ଭାଇଙ୍କୁ ଭର୍ତ୍ତି କରିଥିଲେ। କେଇ ଘଣ୍ଟା ପରେ ଭାଇଙ୍କ ମୃତଦେହ ବାହାରକୁ ଆସିଥିଲା। ନିଜ ଭାଇଙ୍କୁ ହରାଇ ଉକ୍ତ ବ୍ୟକ୍ତି ଜଣକ ଇଆଡୁ ସେଆଡୁ କହିଥିଲେ। ଚିତ୍କାର କରି ପ୍ରଶାସନକୁ ଗାଳିଗୁଲଜ ବି କରିଥିଲେ। ଆଇସୋଲେସନ ୱାର୍ଡ ଆଗରେ ଘଣ୍ଟା ଘଣ୍ଟା ଧରି ଭାଇଙ୍କ ଶବ ପଡ଼ି ରହିଥିଲା। ଗୋଟିଏ ଶବ ଉଠି ନଥିବା ବେଳେ, ଭିତରୁ ଆଉ ଗୋଟିଏ ଶବ ଆଣି ଗେଟ୍‌ ସାମ୍ନାରେ ରଖାଯାଇଥିଲା। ଡାକ୍ତରଖାନାର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଚିକିତ୍ସା ବ୍ୟବସ୍ଥା ପ୍ରତି ଅନେକ ପ୍ରଶ୍ନ ଉଠିଲାଣି। ଖାଲି ସେତିକି ନୁହେଁ, ପ୍ରତିଦିନ ଆଇସୋଲେସନ ୱାର୍ଡ ଆଗରେ ସଂର୍ପକୀୟଙ୍କୁ ହରାଇଥିବା ବନ୍ଧୁ ପରିଜନଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ। ଗତ କିଛିଦିନ ହେବ ଏଭଳି ଦୃଶ୍ୟ ବଲାଙ୍ଗୀର ସରକାରୀ ଡାକ୍ତରଖାନାରେ ସାଧାରଣ ହୋଇଗଲାଣି।

ମୋବାଇଲରେ ରେକର୍ଡ ହୋଇଥିବା ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ଅକ୍ସିଜେନ ଦରକାର ହେଉଥିବା ବେଳେ, ଦାୟିତ୍ୱରେ ଥିବା ନର୍ସ ଓ ଡାକ୍ତର କହୁଛନ୍ତି ଅକ୍ସିଜେନ ନାହିଁ। ଉଚ୍ଚ ଅଧିକାରୀ କହିଲେ ଦେବୁ। ନ ହେଲେ କିଣିକି ଆଣ ଲଗେଇଦେବୁ ବୋଲି କହୁଛନ୍ତି। କିନ୍ତୁ ଜଣେ ଗ୍ରାମାଞ୍ଚଳର ଗରିବ ରୋଗୀ ଏତେ ଯୋଗାଡ଼ କରିବ କେଉଁଠୁ? ତେଣୁ ଶେଷରେ ଅକ୍ସିଜେନ ନଦେଇ ତାଙ୍କୁ ବୁର୍ଲା ରେଫର କରିଦେଲେ। ଏଭଳି ହୃଦୟ ବିଦାରକ ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିଲେ ବି ହସପିଟାଲ ଅଧୀକ୍ଷକଙ୍କ କହିବା ହେଲା ବ୍ୟବସ୍ଥିତ କରିବାକୁ ଉଦ୍ୟମ ଚାଲିଛି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସେମିତି କିଛି ବିଶେଷ ଅସୁବିଧା ନାହିଁ ବୋଲି କହିଛନ୍ତି।

ଅନ୍ୟପକ୍ଷ‌ରେ, ସଂକ୍ରମଣ ‌ଏତେ ଗୁରୁତର ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପର୍ଯ୍ୟାପ୍ତ ଶଯ୍ୟା ନାହିଁ। ସରକାରୀ ରିପୋର୍ଟ ଅନୁସାର କବେ ଦୁଇଶହ ତ କେବେ ତିନିଶହ ପାର୍‌। ବର୍ତ୍ତମାନ ସୁଦ୍ଧା ମେଡିକାଲ ହବ୍‌ କହାଯାଉଥିବା ଜିଲ୍ଲା ସଦର ମହକୁମାରେ ଶଯ୍ୟା ସଂଖ୍ୟା ୨ଶହ ବି ନାହିଁ। ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କିଛିଟା ସୁବିଧା ରହିଛି। ହେଲେ ଲର୍କିପାଲିସ୍ଥିତ କୋଭିଡ କେୟାର ସେଣ୍ଟରରେ ସେମିତି ସୁବିଧା ଆଦୌ ନାହିଁ। ଅବଶ୍ୟ ଜିଲ୍ଲା ପ୍ରଶାସନର ସବୁଦିନ ପ୍ରତିକ୍ରିୟା ଆସୁଛି, ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଆନୁଷଙ୍ଗିକ ସୁବିଧା ସୁଯୋଗ ରହିଛି। କିନ୍ତୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଆଇସୋଲେସନ୍‌ ‌ୱାର୍ଡରୁ ଆସୁଥିବା ଭିଜୁଆଲରୁ ଶଯ୍ୟା ସଂଖ୍ୟାଠାରୁ ରୋଗୀ ସଂଖ୍ୟା ଢେର ଅଧିକ। ଜିଲ୍ଲାର କିଛି ଗାଁରେ ସବୁ ପରିବାରରେ ସଂକ୍ରମଣ। ସଦର ମହକୁମାରେ ବିଧାୟକଙ୍କଠାରୁ ବିପିଏଲ୍‌ କାହାକୁ ବାଦ୍‌ ଦେଉନି ସଂକ୍ରମଣ। ଦିନକୁ ଦିନ ସଂକ୍ରମଣ ବ୍ୟାପୁଛି। ମୃତ୍ୟୁ ସଂଖ୍ୟା ବି ବଢ଼ୁଛି। ଦିନ ହଉ କି ରାତି, ରାସ୍ତାରେ କେବଳ ଆମ୍ବୁଲାନ୍ସର ସାଇରନ୍‌ ହିଁ ବାଜୁଥିବା ଶୁଣିବାକୁ ମିଳୁଛି।

The post ଭୟଙ୍କର କରୋନା କହର…! ଚାଲିଚାଲି ଯାଉଛନ୍ତି, ଶବ ହୋଇ ଆସୁଛନ୍ତି first appeared on Sambad.

from କରୋନା | Sambad https://ift.tt/32FfiRm