ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁରଦାବାଦରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କରୋନାରେ ମୃତ୍ୟୁ ଘଟିଥିବା ଭିନ୍ନ ସମ୍ପ୍ରଦାୟର ଦୁଇଟି ଶବ ଅଦଳ ବଦଳ ହୋଇଯିବା ପରେ ଏହାକୁ ନେଇଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତିଙ୍କ ଶବକୁ କବର ଦିଆଯିବା ଏବଂ ଅନ୍ୟଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶବକୁ ଅନ୍ତିମ ସଂସ୍କାର କରାଯିବା ପୂର୍ବରୁ ଘଟଣା ଜଣାପଡ଼ିଥିଲା। ଏହାକୁ ନେଇ ମାମଲା ଉଗ୍ର ରୂପ ନେବା ପୂର୍ବରୁ ପୁଲିସ ହସ୍ତକ୍ଷେପ କରି ଉଭୟ ସମ୍ପ୍ରଦାୟର ମୃତକଙ୍କ ସମ୍ପର୍କୀୟଙ୍କୁ ବୁଝାଶୁଝା କରିଥିଲା ଏବଂ ସୁରୁଖୁରୁରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ମୁରାଦାବାଦ-ହରିଦ୍ବାର ଷ୍ଟେଟ୍‌ ହାଇୱେସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ବିଳମ୍ବତ ରାତିରେ ଏହି ଘଟଣା ଘଟିଥିଲା। କରୋନାରେ ପ୍ରାଣ ହରାଇଥିବା ରାମପ୍ରସାଦଙ୍କ ମୃତଦେହକୁ ନେଇ ତାଙ୍କ ପୁଅ ରାମଗଙ୍ଗା ବିହାରସ୍ଥିତ ଶ୍ମଶାନରେ ପହଞ୍ଚିଥିଲେ। ଶବ ଗୁଡ଼ା ହୋଇଥିବା ପଲିଥିନ୍‌ ହଟାଇବା ପରେ ଜଣାପଡ଼ିଥିଲା ଶବଟି ରାମପ୍ରସାଦଙ୍କର ନୁହେଁ ଅନ୍ୟ କେହି।

ରାମପ୍ରସାଦଙ୍କ ସମ୍ପର୍କୀୟମାନେ ଏ ବାବଦରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ହସ୍ପିଟାଲରେ ଖୋଳତାଡ଼ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମୃତ ନସିର୍‌ଙ୍କ ସମ୍ପର୍କୀୟଙ୍କ ସହ ଯୋଗା‌ଯୋଗ କରିଥିଲା। ସେତେବେଳେକୁ ନାସିରଙ୍କ ଶବକୁ କବର ଦିଆଯାଇ ସାରିଥିଲା। ପୁଲିସ ଏ ଖବର ଶୁଣିବା ପରେ ଘଟଣାସ୍ଥଳକୁ ଯାଇ କବର ଭିତରୁ ରାମପ୍ରସାଦଙ୍କ ଶବକୁ ବାହାର କରିଥିଲା। ଉଭୟ ଶବ ଚିହ୍ନଟ କରାଯିବା ପରେ ପୁଲିସ ଉପସ୍ଥିତିରେ ଅନ୍ତିମ ସଂସ୍କାର ହୋଇଥିଲା।

The post ହସ୍ପିଟାଲ୍‌ରେ ଶବ ଅଦଳ ବଦଳ: ଚିତାରେ ନସିର୍‌, କବରସ୍ତାନରେ ରାମପ୍ରସାଦ first appeared on Sambad.

from କରୋନା | Sambad https://ift.tt/3vdAOsH