
ବଲାଙ୍ଗୀର : କରୋନା ମହାମାରୀ ଆଗରେ ବାଛବିଚାର ନାହିଁ। ଦୟା କି କ୍ଷମା ବି ନାହିଁ। ଯାହାକୁ ଯେତେବେଳେ ପାରିଲା ସାଉଁଟି ନେଉଛି। ଗୋଟିଏ ଗୋଟିଏ ପରିବାରର ଏକାଧିକ ଲୋକ ଆଖି ବୁଜି ଦେଉଛନ୍ତି। କେଉଁଠି ବାପା ସାଙ୍ଗରେ ପୁଅ ଚାଲିଯାଉଛି ତ ଆଉ କେଉଁଠି ହାତ ଧରାଧରି ହୋଇ ଭାଇଭଉଣୀ ଆଖି ବୁଜି ଦେଉଛନ୍ତି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ସହରର ରୁଗୁଡ଼ିପଡ଼ାରେ। କରୋନାରେ ଆକ୍ରାନ୍ତ ମା ଓ ପୁଅ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ। ମାଙ୍କ ଶବ ଦାହ ସରୁସରୁ ଆଖି ବୁଜିଲା ପୁଅ। କରୋନାରେ ମା’ପୁଅଙ୍କ ମୃତ୍ୟୁକୁ ନେଇ ସ୍ତବ୍ଧ ରୁଗୁଡ଼ିପଡ଼ା। ସହରବାସୀ ଭୟଭୀତ ଓ ଆତଙ୍କିତ।
ବଲାଙ୍ଗୀର ରୁଗୁଡ଼ିପଡ଼ାନିବାସୀ ପଞ୍ଚାନନ ମିଶ୍ରଙ୍କ ପତ୍ନୀ ପ୍ରେମଶୀଳା (୭୬) ଓ ତାଙ୍କ ସାନପୁଅ ମନୋଜ (୩୫)ଙ୍କ କରୋନାରେ ପରଲୋକ ଘଟିଛି। ପ୍ରଥମେ ପ୍ରେମଶୀଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ନର୍ସିଂହୋମ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବଡ଼ପୁଅ ସରୋଜ ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରି ଶନିବାର ବଲାଙ୍ଗୀର ଫେରୁଥିଲେ। ଆଉ ଫେରିବା ବାଟରେ ଖବର ପାଇଥିଲେ ଯେ, ତାଙ୍କ ସାନଭାଇ ମନୋଜଙ୍କ ପରଲୋକ ହୋଇଯାଇଛି। ସେ ରାସ୍ତାରେ ହିଁ ଭାଙ୍ଗିପଡ଼ିଥିଲେ। ମନୋଜଙ୍କର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିଲା। ମନୋଜ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାୟପୁରଠାରେ ଷ୍ଟେଟ୍ବ୍ୟାଙ୍କ ଶାଖା ପରିଚାଳକ ଭାବରେ କାର୍ଯ୍ୟରତ ଥିଲେ। ମନୋଜଙ୍କ ବଡ଼ଭାଇ ଫେରିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି। ମା’ପୁଅଙ୍କ ମୃତ୍ୟୁ ଖବର ରୁଗୁଡ଼ିପଡ଼ାରେ ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
The post କରୋନାର କାରୁଣ୍ୟ: ନେଇଗଲା ମା’ପୁଅଙ୍କ ଜୀବନ first appeared on Sambad.from କରୋନା | Sambad https://ift.tt/3ng7uze
0 Comments