ଭୁବନେଶ୍ବର / କଟକ : କରୋନା ଛଡ଼ାଇନେଲା ପୁଣି ଜଣେ ରାଜ୍ୟର ବରିଷ୍ଠ ତଥା ପ୍ରତିଷ୍ଠିତ ସାମ୍ବାଦିକଙ୍କୁ। ଦୀର୍ଘ ୨୧ବର୍ଷ ଧରି ‘ସମ୍ବାଦ’ରେ ବିଭିନ୍ନ ପଦପଦବିରେ ରହି ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସୁଥିବା ‘ସମ୍ବାଦ’ ସମ୍ବୁଲପୁର ସଂସ୍କରଣର ଡିଜିଏମ୍‌(ନ୍ୟୁଜ୍‌) ଦେବେନ୍ଦ୍ର ସାମନ୍ତରାୟ(୫୪) ଶୁକ୍ରବାର ରାତି ୮ଟା ୧୦ ରେ ଭୁବନେଶ୍ବରସ୍ଥିତ ଏକ ଘରୋଇ କୋଭିଡ୍‌ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କରୋନାରେ ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମଣ ଓ କୋଭିଡ୍‌ ଏଆରଡିଏଚ୍‌ ଟର୍ମିନାଲ ରେସ୍ପିରେଟୋରି ଫେଲ୍ୟୁଅର ପରେ ଶେଷରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଏହି ଖବର ମିଳିବା ପରେ ସ୍ବର୍ଗତ ସାମନ୍ତରାୟଙ୍କ ପରିବାର, ଆତ୍ମୀୟଜନନ, ‘ସମ୍ବାଦ’ ପରିବାର ଏବଂ ରାଜ୍ୟର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସାମନ୍ତରାୟଙ୍କ ପରିବାରରେ ମା’ କିରଣବାଳା, ପତ୍ନୀ ସୁକାନ୍ତି, ପୁଅ ଶୁଭାଶିଷ ଓ ଝିଅ ବିଦ୍ୟାଶା ଓ ଦୁଇ ଭଉଣୀ ଅଛନ୍ତି। ଗତବର୍ଷ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା।

ସ୍ବର୍ଗତ ସାମନ୍ତରାୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ହରିରାଜପୁର ଗ୍ରାମରେ। ୧୯୬୭ ଜୁନ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ଦେବେନ୍ଦ୍ର ହେଉଛନ୍ତି ରବୀନ୍ଦ୍ରନାଥ ଓ କିରଣବାଳାଙ୍କ ଏକମାତ୍ର ପୁଅ। ବନ୍ଧକାଟିଆ ଜୁବଲି ବିଦ୍ୟାପୀଠରୁ ୧୯୮୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ସେ ସାଲେପୁର କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ସ୍ନା‌ତକୋତ୍ତର ଶିକ୍ଷା ଗ୍ରହଣ କରି ସାମ୍ବାଦିକତାକୁ ନିଜର ବୃତ୍ତିଭାବେ ଗ୍ରହଣ କରିଥିଲେ। ପ୍ରଥମେ ‘ପ୍ରଜାତନ୍ତ୍ର’ରୁ ଚାକିରି ଜୀବନ ଆରମ୍ଭ କରିଥିବା ଦେବେନ୍ଦ୍ର ବାବୁ ୨୦୦୦ ମସିହା ମେ ୨୯ ତାରିଖରେ ‘ସମ୍ବାଦ’ରେ ସହ-ସମ୍ପାଦକ ଭାବେ ଯୋଗ ଦେଇଥିଲେ। ଏହାପରେ ସେ ‘ସମ୍ବାଦ’ର ବିଭିନ୍ନ ସଂସ୍କରଣରେ କାର୍ଯ୍ୟ କରିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। ୨୦୦୧ ମସିହାରେ ସେ ସମ୍ବଲପୁର ସଂସ୍କରଣରେ କାର୍ଯ୍ୟ କରିଥିବାବେଳେ ୨୦୦୬ ମସିହାରେ ଅନୁଗୁଳ ସଂସ୍କରଣର ମୁଖ୍ୟ ଭ‌ାବେ କାର୍ଯ୍ୟ କରିଥିଲେ। ୨୦୧୦ରେ ସେ ଭୁବନେଶ୍ବର ବଦଳି ହୋଇ ଆସିଥିଲେ ଏବଂ ୨୦୧୮ ମସିହା ଏପ୍ରିଲ୍‌ ୧ ତାରିଖ ପର୍ଯ୍ୟନ୍ତ ବାର୍ତ୍ତା ସଂଯୋଜକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହାପରେ ସେ ଡିଜିଏମ୍‌(ବାର୍ତ୍ତା) ଭାବେ ପଦନ୍ନୋତି ପାଇ ସମ୍ବୁଲପୁର ସମ୍ବାଦ ସଂସ୍କରଣର ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ।

ଏପ୍ରିଲ ଦ୍ବିତୀୟ ସପ୍ତାହରେ ସମ୍ବଲପୁରରେ ଥିବା ସମୟରେ ତାଙ୍କୁ ହଠାତ୍‌ ଜ୍ବର ହେବା ଫଳରେ ସେ ଭୁବନେଶ୍ବର ରସୁଲଗଡସ୍ଥିତ ଘରକୁ ଚାଲି ଆସିଥିଲେ। ସେଠାରେ କୋଭିଡ୍‌ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗତ ୧୧ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଭିଡ୍‌ ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହେବା ଫଳରେ ଦିନକୁ ଦିନ ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର କମି ଚାଲିଥିଲା। ଫଳରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ଗତକାଲି ତାଙ୍କ ସ୍ବାସ୍ଥାବସ୍ଥାରେ ଅଧିକ ଅବନତି ଦେଖାଯିବାରୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ତେବେ ଦୀର୍ଘ ୨୦ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶୁକ୍ରବାର ରାତି ପ୍ରାୟ ୮ଟା ୧୦ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଦେବେନ୍ଦ୍ର ସାମନ୍ତରାୟଙ୍କ ମୃତ୍ୟୁରେ ‘ସମ୍ବାଦ’ ପରିବାରରେ ଶୋକର ଛାୟା ଖେଳିଯାଇଛି। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ ଓ ପ୍ରକାଶକ କମଳାକାନ୍ତ ମହାପାତ୍ର, ସମ୍ପାଦକ (ଫିଚର୍‌) ଡ.ଗୌରହରି ଦାସ, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ବାର୍ତ୍ତା) ମହମ୍ମଦ ହିଫ୍‌ଜୁର୍‌ ରହେମାନ୍‌, ଡିଜିଏମ୍‌(ମାନବ ସମ୍ବଳ) ବୈଜୟନ୍ତୀ କର, ଡିଜିଏମ(ବାର୍ତ୍ତା) ଗୌତମବୁଦ୍ଧ ଦାସ, ଡିଜିଏମ୍(ବାର୍ତ୍ତା) ଭବାନୀ ଶଙ୍କର ତ୍ରିପାଠୀ ଏବଂ ସମ୍ବଲପୁର ସଂସ୍କରଣର ସମସ୍ତ ସାମ୍ବାଦିକ ଓ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ‘ସମ୍ବାଦ’ରେ ନିରବ ପ୍ରାର୍ଥନା କରାଯାଇଥିଲା।

ଦେବେନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ କହିଛନ୍ତି ଯେ ଏଭଳି ଏକ ଖବର ମୋ ପାଇଁ ଅତ୍ୟନ୍ତ ଦୁଃଖଦାୟକ। ସେ ମୋର ସଂପର୍କୀୟ ଭଣଜା। ସବୁ ଦୃଷ୍ଟିରୁ ଅତ୍ୟନ୍ତ ଭଦ୍ର ଆଉ ଆଦରଣୀୟ ଥିଲେ। ଭଗବାନ ତାଙ୍କର ପରିବାରକୁ ଏଭଳି ଦୁଃଖ ସହିବାକୁ ଧୈର୍ଯ୍ୟ ଆଉ ଶକ୍ତି ଦିଅନ୍ତୁ।

କରୋନା ଟିକା ମୋତେ ଏପ୍ରିଲ୍ ଫୁଲ୍ କଲା…
ଦେବେନ୍ଦ୍ର ସାମନ୍ତରାୟ କରୋନା ସଂକ୍ରମିତ ହେବା ପରେ ତାଙ୍କ ଫେସ୍‌ବୁକରେ ଏକ ପୋଷ୍ଟ କରିଥିଲେ… ‘କରୋନା ଟିକା ମୋତେ ଏପ୍ରିଲ ଫୁଲ୍‌ କରିଛି। ମୁଁ ଏପ୍ରିଲ ୧ ତାରିଖରେ ପ୍ରଥମ ଡୋଜ୍‌ ଟିକା ନେଇଥିଲି, ଆଉ ୯ ତାରିଖରେ ପଜିଟିଭ୍‌ ଚିହ୍ନଟ ହୋଇଛି।

ଏହାଛଡ଼ା ପ୍ରାୟ ବର୍ଷକ ତଳେ ସେ କରିଥିବା ଶେଷ ଟୁଇଟ୍‌ରେ କରୋନାର ଭୟାବହତା କଥା ଉଲ୍ଲେଖ କରି ‘ପ୍ରିଭେନ୍‌ସନ୍ ଇଜ୍ ବେଟାର ଦ୍ୟାନ୍ କିଓର’ ବୋଲି ଲେଖିଛନ୍ତି।

The post ‘ସମ୍ବାଦ’ ବାର୍ତ୍ତା ବିଭାଗ ଡିଜିଏମ୍‌ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ first appeared on Sambad.

from କରୋନା | Sambad https://ift.tt/3vx8HF5