ଟିକାର ଭିନ୍ନଭିନ୍ନ ମୂଲ୍ୟକୁ ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ, ପଇସା କେଉଁଠୁ ଆଣିବେ ଗରିବ?

ନୂଆଦିଲ୍ଲୀ : ଦେଶରେ କରୋନା ଟିକାର ଭିନ୍ନ ଭିନ୍ନ ମୂଲ୍ୟ ଏବଂ ଘରୋଇ ବ୍ୟବସ୍ଥାରେ ଟିକାକରଣ କାର୍ଯ୍ୟକ୍ରମ ନେଇ ସୁପ୍ରିମ୍‌ କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗରିବମାନେ ଟିକା କିଣିବା ପାଇଁ ପଇସା କେଉଁଠୁ ପାଇବେ ବୋଲି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଏକ ଜାତୀୟ ଟିକାକରଣ ମଡେଲକୁ ଗ୍ରହଣ କରି ସେଥିରେ ସମସ୍ତ ଭାରତୀୟଙ୍କୁ ମାଗଣା ଟିକା ଦେବାପାଇଁ ବିଚାର କରନ୍ତୁ ବୋଲି ସୁପ୍ରିମ୍‌ କୋର୍ଟ କହିବା ସହ ‌ଘରୋଇ ବ୍ୟବସ୍ଥାରେ ଟିକା ଦେବାପାଇଁ ଗରିବମାନେ ଅସମର୍ଥ ବୋଲି କହିଛନ୍ତି। ଟିକାର ମୂଲ୍ୟ ପ୍ରସଙ୍ଗ ଏବେ ଗମ୍ଭୀର ମାମଲା ଏବଂ ଘରୋଇ ହସ୍ପିଟାଲରେ ଟିକାକରଣ ଦେଶପାଇଁ ଗ୍ରହଣୀୟ ନୁହେଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ କୋଭିଡ୍‌-୧୯ ପରିସ୍ଥିତି ନେଇ ବିଭିନ୍ନ ମାମଲାର ଶୁଣାଣି ବେଳେ ଏଭଳି ମନ୍ତବ୍ୟ ରଖିଛନ୍ତି।

ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ ଏବଂ ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଟିକା କ୍ରୟ ନୀତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ କୋଭିଡ୍‌ ଟିକା ନିଜେ କାହିଁକି କ୍ରୟ କରୁନାହାନ୍ତି। ରାଜ୍ୟମାନଙ୍କୁ ଟିକା କିଣିବାକୁ ହେଲେ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଘରୋଇ ହସ୍ପିଟାଲରେ ଚଢ଼ା ଦରରେ ଟିକା ଦେବାପାଇଁ ଗରିବଙ୍କ ପାଖରେ ପଇସା ନାହିଁ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍‌ ଏବେ ବି ଅପହଞ୍ଚ ଏବଂ ଯେଉଁମାନେ ଗରିବ ନିରକ୍ଷର ସେମାନଙ୍କ ପଞ୍ଜୀକରଣ କିଭଳି ହେବ ବୋଲି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ୫୯ କୋଟିରୁ ଅଧିକ ଭାରତୀୟଙ୍କ ବୟସ ୪୫ ବର୍ଷରୁ କମ୍‌ ଏବଂ ସେମାନଙ୍କ ମଧ୍ୟରେ ଗରିବ ଏବଂ ଅତି ଗରିବ ଶ୍ରେଣୀରେ ଅଧିକାଂଶ ଲୋକ ଅଛନ୍ତି। ସେମାନେ ସରକାରଙ୍କ ଘରୋଇ ବ୍ୟବସ୍ଥାରେ ଟିକାକରଣ ପାଇଁ ଅସମର୍ଥ ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି। ଘରୋଇ ଟିକା ଉତ୍ପାଦକମାନେ କେଉଁ ରାଜ୍ୟକୁ କେତେ ଟିକା ମିଳିବ ତାହା ସ୍ଥିର କରିପାରିବେ ନାହିଁ ଏବଂ ସେମାନଙ୍କୁ ଏହା ମଧ୍ୟ ଦିଆଯାଇ ପାରିବ ନାହିଁ। ୧ ମେ ରୁ ଟିକାକରଣ ପାଇଁ ବିଭିନ୍ନ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲମାନଙ୍କୁ ନିର୍ମାତାମାନଙ୍କଠାରୁ ସିଧାସଳଖ ଟିକା କ୍ରୟ ଅଧିକାର ଦିଆଯାଇଥିବାରୁ ସୁପ୍ରିମ୍‌ କୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଟିକା ନିର୍ମାତାମାନେ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କା ଏବଂ ରାଜ୍ୟ ପାଇଁ ୩୦୦ରୁ ୪୦୦ ଟଙ୍କା ଟିକା ଦର କିଭଳି ରଖିପାରିବେ ବୋଲି ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟ ପ୍ରଶ୍ନ କରିଛନ୍ତି।

The post ଟିକାର ଭିନ୍ନଭିନ୍ନ ମୂଲ୍ୟକୁ ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ, ପଇସା କେଉଁଠୁ ଆଣିବେ ଗରିବ? first appeared on Sambad.

from କରୋନା | Sambad https://ift.tt/3t3oqKp

Post a Comment

0 Comments