
ଭୁବନେଶ୍ବର : ରାଜ୍ୟରେ ଏବେ ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ୬ହଜାର ପାର୍ କରିଥିବା ବେଳେ ଏହି ସଂକ୍ରମଣ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ କୋଭିଡ୍ ନମୁନା ପରୀକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଆଗକୁ ଦୈନିକ ୫୦ହଜାର ନମୁନା ପରୀକ୍ଷା କରିବା ଲାଗି ଲକ୍ଷ୍ୟ ରହିଥିବା ବେଳେ ଆରଟି-ପିସିଆର୍ ପରୀକ୍ଷା ପାଇଁ ଅଧିକ ସଂଖ୍ୟାରେ ଘରୋଇ ଲ୍ୟାବ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଆର୍ଟି-ପିସିଆର୍ ପରୀକ୍ଷା କରୁଥିବା ଲ୍ୟାବ୍କୁ ସରକାରୀ ପରୀକ୍ଷା ବ୍ୟବସ୍ଥାରେ ସାମିଲ କରିବା ଲାଗି ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।
ରାଜ୍ୟ ସରକାର ନିକଟରେ ଘରୋଇ ଲ୍ୟାବ୍ଙ୍କୁ ସାମିଲ କରିବା ଲାଗି ଟେଣ୍ଡର କରିଥିଲେ। ହେଲେ ଏଥିରେ ଦୈନିକ ୧ହଜାର ନମୁନା ପରୀକ୍ଷା କରିବା ଲାଗି ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲା। ଏଭଳି ମାନଦଣ୍ଡକୁ ଦେଖି ଅଧିକ ଘରୋଇ ଲ୍ୟାବ୍ ଏଥିରେ ସାମିଲ ହୋଇ ନ ଥିଲେ। ମାତ୍ର ରାଜଧାନୀର ୩ଟି ଲ୍ୟାବ୍ ଏଥିରେ ହଁ ଭରିଥିଲେ। ହେଲେ ଲ୍ୟାବ୍ ସଂଖ୍ୟାକୁ ଆହୁରି ବଢ଼ାଇବା ଲାଗି ସରକାର ଯୋଜନା କରିଛନ୍ତି। ତେଣୁ ପୂର୍ବରୁ ରହିଥିବା ମାନଦଣ୍ଡକୁ ଏଥର ହଟାଇ ଦିଆଯାଇଥିବା ଜଣାପଡ଼ିଛି।
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଯେଉଁ ମାନଦଣ୍ଡ ରହିଥିଲା, ସେଥିରେ ଅନେକ ଘରୋଇ ହସ୍ପିଟାଲ ସାମିଲ ହୋଇ ନ ଥିଲେ। ତେଣୁ ଏବେ ଲ୍ୟାବ୍ର କ୍ଷମତା ଅନୁସାରେ ସେମାନଙ୍କୁ ସାମିଲ କରିବା ଲାଗି ଆଲୋଚନା ଜାରି ରହିଛି। ଆରଟି-ପିସିଆର ନମୁନା ରିପୋର୍ଟ ଯେପରି ଲୋକଙ୍କୁ କମ୍ ସମୟରେ ମିଳିପାରିବ, ସେଥିପାଇଁ ନମୁନାଗୁଡ଼ିକୁ ଭୁବନେଶ୍ବର କିମ୍ବା କଟକ ନ ପଠାଇ ଜିଲ୍ଲାରେ ପରୀକ୍ଷା କରିବା ଲାଗି ଜୋର ଦିଆଯାଉଛି। ପଶ୍ଚିମ ଓଡ଼ିଶାରେ ଏବେ ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ସେଠାରେ ଥିବା ଘରୋଇ ଲ୍ୟାବ୍କୁ ସରକାରୀ ପରୀକ୍ଷା ବ୍ୟବସ୍ଥାରେ ସାମିଲ କରାଗଲେ ଏହା ଫଳପ୍ରଦ ହୋଇପାରିବ। ଖୁବ୍ଶୀଘ୍ର ଆହୁରି ୨/୩ ଘରୋଇ ଲ୍ୟାବ୍ ସରକାରୀ ପରୀକ୍ଷା ବ୍ୟବସ୍ଥାରେ ସାମିଲ ହେବେ।
ରାଜ୍ୟର ୭ଟି ମେଡିକାଲ କଲେଜ ଓ ୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରଟି-ପିସିଆର ପରୀକ୍ଷା ହେଉଛି। ଆଗକୁ ଆହୁରି ୨ଟି ଜିଲ୍ଲାକୁ ନୂଆ ମେସିନ୍ ଦିଆଯିବ। ମାତ୍ର ଜିଲ୍ଲାସ୍ତରରେ ଯେଉଁ ଲ୍ୟାବ୍ରେ ଆରଟି-ପିସିଆର ପରୀକ୍ଷା କରାଯାଉଛି, ତାହାର କିଭଳି କ୍ଷମତା ବୃଦ୍ଧି କରାଯିବ, ତାହା ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ଏଥିପାଇଁ ଅଧିକ ସଂଖ୍ୟାରେ ଲ୍ୟାବ୍ ଟେକ୍ନିସିଆନଙ୍କୁ ନିଯୁକ୍ତି ଦେବା ସହ ଦିନକୁ ଅତି କମ୍ରେ ୩ଟି ପର୍ଯ୍ୟାୟରେ ପରୀକ୍ଷା ହୋଇପାରିଲେ ଦୈନିକ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ। ରାଜ୍ୟରେ ଆଗକୁ ଦୈନିକ ୨୫ ହଜାର ଆରଟି-ପିସିଆର ପରୀକ୍ଷା ଲକ୍ଷ୍ୟ ସମ୍ଭବ ହୋଇପାରିବ। କିଛି ଲ୍ୟାବ୍ରେ କେତେକ ବୈଷୟିକ ସମସ୍ୟା ରହିଛି, ତାହାକୁ ଖୁବଶୀଘ୍ର ଦୂର କରିବା ଲାଗି ଉଦ୍ୟମ କରାଯାଉଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
The post ଅଧିକ ଘରୋଇ ଲ୍ୟାବ୍କୁ ସାମିଲ ଯୋଜନା, ଦିନକୁ ହେବ ୨୫ହଜାର ଆରଟି-ପିସିଆର ପରୀକ୍ଷା first appeared on Sambad.from କରୋନା | Sambad https://ift.tt/3ettd2t
0 Comments