କେତେ କର୍ମଚାରୀରେ ଅଫିସ ଚାଲିବ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ
ବଢ଼ୁଥିବା କୋଭିଡ ସଂକ୍ରମଣକୁ ନେଇ ସରକାରଙ୍କ ନିଷ୍ପତ୍ତି
ସାଧାରଣ ପ୍ରଶାସନ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ବର : ଆଉ ୫୦ ପ୍ରତିଶତ ନୁହେଁ କି ତା’ଠୁ କମ୍‌। ବଢ଼ୁଥିବା କୋଭିଡ ସଂକ୍ରମଣକୁ ନେଇ ସରକାରୀ ବିଭାଗଗୁଡ଼ିକ କେତେ ପ୍ରତିଶତ କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ଚାଲିବ ସେ ନେଇ ବିଭାଗୀୟ ମୁଖ୍ୟମାନେ ନିଷ୍ପତ୍ତି ନେବେ। ଆବଶ୍ୟକ ପଡ଼ିଲେ ଅଫିସ ବନ୍ଦ କରିପାରିବେ। ଅଫିସ ନ ଆସି ଭିପିଏନ୍‌ ଜରିଆରେ କର୍ମଚାରୀ ଓ ଅଧିକାରୀମାନେ ଘରୁ କାମ କରିବେ। ଏ ନେଇ ଆଜି ସରକାରୀ ବିଜ୍ଞପ୍ତି ଜାରି କରି ସାଧାରଣ ପ୍ରଶାସନ ବିଭାଗ ବିଭାଗମାନଙ୍କୁ ଏପରି କ୍ଷମତା ପ୍ରଦାନ କରିଛି। ବିଜ୍ଞପ୍ତିରେ ଉଲ୍ଲେଖ ରହିଛ, କୋଭିଡ ସଂକ୍ରମଣକୁ ଦେଖି ଗତ ଏପ୍ରିଲ ୧୫ ତାରିଖରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହିତ ଚଳିତ ମାସ ୧୯ ତାରିଖରୁ ସବୁ ବିଭାଗର ଉପ ଶାସନ ସଚିବ ପାହ୍ୟା ଅଧିକାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନେ ନିୟମିତ ଅଫିସ ଆସିବାକୁ ମଧ୍ୟ ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ ଭୁବନେଶ୍ବର ଓ କଟକରେ ଥିବା ସରକାରୀ ଅଫିସଗୁଡ଼ିକରେ ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣକୁ ପ୍ରତିହତ କରିବା ସହିତ ଅଧିକ ଆଉ ଯେପରି ନ ବ୍ୟାପିବ ସେଥିପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଯଦି କୌଣସି ସରକାରୀ ଅଫିସରେ ବହୁ ସଂଖ୍ୟକ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି, ତାହେଲେ ସେ କ୍ଷେତ୍ରରେ ସମ୍ପୃକ୍ତ ଅଫିସକୁ ବନ୍ଦ କରି ବିଶୋଧନ କରାଯିବ। ଏହାସହିତ ବିଭାଗର ଦାୟିତ୍ବ, କାର୍ଯ୍ୟ ସମ୍ପାଦନ ଓ ସୁରକ୍ଷାକୁ ଦେଖି କେତେ ସଂଖ୍ୟକ କର୍ମଚାରୀ ଓ ଅଧିକାରୀଙ୍କୁ ନେଇ କାର୍ଯ୍ୟ ସମ୍ପାଦନ ହୋଇପାରିବ ସେ ନିଷ୍ପତ୍ତି ବିଭାଗୀୟ ମୁଖ୍ୟମାନେ ନେଇପାରିବେ। ଏଥିପାଇଁ ଆଉ ସାଧାରଣ ପ୍ରଶାସନ ବିଭାଗର ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ସେହିପରି ପ୍ରଶାସନିକ ବିଭାଗଗୁଡ଼ିକ କ୍ଷେତ୍ରୀୟ ସ୍ତରର ଅଫିସଗୁଡ଼ିକରେ କର୍ମଚାରୀଙ୍କ ସଂକ୍ରମଣ ଅବସ୍ଥାକୁ ଦେଖି ଆବଶ୍ୟକ ନିଷ୍ପତ୍ତି ନେଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

The post ସରକାରୀ ଅଫିସ୍‌ ଲାଗି କୋଭିଡ଼ ଗାଇଡଲାଇନ୍‌: ଅଫିସ ନ ଆସି ଘରୁ କାମ କରିପାରିବେ first appeared on Sambad.

from କରୋନା | Sambad https://ift.tt/3vzZqwf