ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀକୁ ନେଇ ଦେଶବ୍ୟାପୀ ଜଟିଳ ସ୍ଥିତି ଲାଗି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଛି। ଅଧିକାଂଶ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି ଅକ୍ସିଜେନ୍‌ ଅଭାବ। ତେବେ ଅକ୍ସିଜେନ୍‌‌ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶ ଆବଶ୍ୟକ ପ୍ରସ୍ତୁତି କାହିଁକି କରିପାରିନି ଏବଂ ପ୍ରଥମ ଲହର ପରେ କାହିଁକି ସତର୍କତା ଅବଲମ୍ବନ କରାଗଲା ନାହିଁ ତାହା ଏବେ ମୁଖ୍ୟ ପ୍ରଶ୍ନ ପାଲଟିଛି। ଅକ୍ସ‌ିଜେନ୍‌ ସଙ୍କଟ ପାଇଁ ଦିଲ୍ଲୀ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଦେଶରେ ବିଭିନ୍ନ ସ୍ଥାନରେ ହସ୍ପିଟାଲ୍‌ମାନଙ୍କରେ ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ଆସୁଛି। ତେବେ ପ୍ରଥମ ଲହରରେ ଅକ୍ସିଜେନ୍‌, ଭେଣ୍ଟିଲେଟର୍‌ର ଏତେ ଆବଶ୍ୟକ ନଥିଲା। ଅଧିକାଂଶ ଲୋକ ଦ୍ବିତୀୟ ଲହର ସଂକ୍ରମଣ ସଂକ୍ରାନ୍ତରେ ସଚେତନ ନଥିଲେ। ତେଣୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବା ସହ ରୢାଲିଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଲା।

ମହାରାଷ୍ଟ୍ରର ଲୋକେ ଉତ୍ତରପ୍ରଦେଶ ଏବଂ ବିହାର ଯାଇ ହୋଲି ଉତ୍ସବ ପାଳନ କଲେ। ଫଳରେ ମୁମ୍ବାଇ ଫେରିବାପରେ ମୁମ୍ବାଇରେ ସଂକ୍ରମଣ ବଢ଼ିଲା। ଦିଲ୍ଲୀରେ ମଧ୍ୟ ଲୋକେ ବେପରୁଆ ହୋଇଗଲେ। ମାସ୍କ ପିନ୍ଧିଲେ ନାହିଁ କି ଆବଶ୍ୟକ ଜରୁରୀ କରୋନା ନିୟମାବଳି ପାଳନ କଲେନାହିଁ। ତେଣୁ ସଂକ୍ରମଣ ଅତି ଦ୍ରୁତ ଗତିରେ ବଢ଼ିଲା। ଭାଇରସ୍‌ର ନୂଆ ପ୍ରଜାତି ୭୨ ଘଣ୍ଟାରେ ଜଣଙ୍କଠାରୁ ୩୦ ଜଣଙ୍କୁ ବ୍ୟାପୁଛି। ତେଣୁ ଏହି କାରଣ ପାଇଁ ପ୍ରଥମ ଲହରରେ ସଂକ୍ରମଣକୁ ଅତି ଭଲଭାବେ ମୁକାବିଲା କରିପାରିଥିବା ଭାରତ ଦ୍ବିତୀୟ ଲହର‌ରେ ଅସହାୟ ହୋଇପଡ଼ିଛି। ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ଏହାଦ୍ବାରା ଅକ୍ସିଜେନ୍‌ ଚାହିଦା ମଧ୍ୟ ବଢ଼ୁଛି। ପ୍ରଥମ ଲହରରେ ଦେଶରେ ଅକ୍ସିଜେନ୍‌ ଚାହିଦା ୧,୫୦୦ ଏମ୍‌ଟି ଅତିକ୍ରମ କରୁନଥିଲା। ଏବେ ଦ୍ବିତୀୟ ଲହରରେ ଅକ୍ସି‌ଜେନ୍‌ ଚାହିଦା ୬,୦୦୦ ଏମ୍‌ଟି ଅତିକ୍ରମ କରିଯାଇଥିବା ବେଳେ ଯୋଗାଣକୁ ନେଇ ସମସ୍ୟା ସୃଷ୍ଟି କରିଛି। ଏବେ ଯୁଦ୍ଧସ୍ତରରେ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ତିଆରି ହେଉଛି ଏବଂ ବିଦେଶରୁ ମଧ୍ୟ ସହାୟତା ନିଆଯାଉଛି।

ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୫୫୧ଟି ଜିଲ୍ଲାରେ ପିଏସ୍‌ଏ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ପିଏମ୍‌ କେୟାର ପାଣ୍ଠିରୁ ଏଥିପାଇଁ ଅର୍ଥ ମଂଜୁର ହେବ ବୋଲି ମୋଦୀ ଘୋଷଣା କରିଥିଲେ। ବିଗତ ୧୪ ଦିନ ମଧ୍ୟରେ ଦେଶରେ ଅକ୍ସିଜେନ୍‌ ଚାହିଦା ୬ ଗୁଣା ବୃଦ୍ଧି ହୋଇଥିବା ବେଳେ ଦେଶ ଏହି ଚ୍ୟାଲେଂଜକୁ ସାମ୍ନା କରିବା ପାଇଁ ସଂଘର୍ଷ କରୁଛି। ଆଜି ପ୍ରଧାନମନ୍ତ୍ରୀ କୋଭିଡ୍‌ ସଙ୍କଟ ଏବଂ ଅକ୍ସିଜେନ୍‌ ଯୋଗାଣ ନେଇ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ଅକ୍ସିଜେନ୍‌ ଉତ୍ପାଦନ ଓ ଯୋଗାଣ କ୍ଷମତା ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

The post ଦେଶରେ କାହିଁକି ଘନଉଛି ଅକ୍ସିଜେନ୍‌ ସଙ୍କଟ first appeared on Sambad.

from କରୋନା | Sambad https://ift.tt/32Xjhcp