ଲଣ୍ଡନ୍‌: ଆଷ୍ଟ୍ରାଜେନିକା ସହ ମିଳିତ ଭାବେ ପ୍ରସ୍ତୁତ କୋଭିଡ୍‌-୧୯ ଟିକା ନେବା ପରେ କେତେକ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁଥିବା ସମସ୍ୟା ସଂକ୍ରାନ୍ତରେ ଅଧିକ ତଥ୍ୟ ଲାଗି ଅପେକ୍ଷା କରିଥିବାରୁ ପିଲା ଓ ତରୁଣମାନଙ୍କ ଦେହରେ ଏହାର ପରୀକ୍ଷାକୁ ସ୍ୱଳ୍ପ ସମୟ ପାଇଁ ସ୍ଥଗିତ ରଖିଥିବା କଥା ମଙ୍ଗଳବାର ଦିନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆହୁରି ମଧ୍ୟ କହିଛି ଯେ, ପିଲାମାନଙ୍କ ଦେହରେ ଏହି ଟିକା ପରୀକ୍ଷା କରିବା କୌଣସି ଚିନ୍ତାର କାରଣ ନୁହେଁ। କିନ୍ତୁ, ଏଥିପାଇଁ ଇଂଲଣ୍ଡ୍‌ର ଡ୍ରଗ୍‌ କଣ୍ଟ୍ରୋଲ୍‌ରଙ୍କ ମାର୍ଗଦର୍ଶିକାକୁ ଅପେକ୍ଷା କରାଯାଇଛି।

ଟିକା ଅଧ୍ୟୟନର ଅଂଶବିଶେଷ ଭାବେ ଇଂଲଣ୍ଡ୍‌ର ୬-୧୭ ବର୍ଷ ବୟସ୍କ ୩୦୦ ସ୍ୱେଚ୍ଛାସେବୀଙ୍କୁ ତାଲିକାଭୁକ୍ତ କରିବା ଲାଗି ଯୋଜନା କରିଥିବା କଥା ଅକ୍ସଫୋର୍ଡ ଫେବ୍ରୁଆରି ମାସରେ ଘୋଷଣା କରିଥିଲା।

Image Courtesy of NDTV

ଏହି ଟିକା ନେବାଦ୍ୱାରା କାଁ ଭାଁ କେଉଁଠି କାହାର ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧୁଛି ବୋଲି ଆସୁଥିବା ରିପୋର୍ଟ ସବୁକୁ ସମ୍ପ୍ରତି ‘ୟୁରୋପିଆନ୍‌ ମେଡିସିନ୍‌ ଏଜେନ୍‌ସି’ (ଇଏମ୍‌ଏ) ସମୀକ୍ଷା କରୁଛି। ବୁଧବାର କିଂବା ଗୁରୁବାର ଦିନ ‘ଇଏମ୍‌ଏ’ ତାହାର ଫଳାଫଳ ପ୍ରକାଶ କରିବ।

‘ଇଏମ୍‌ଏ’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଟିକା ଓ ରକ୍ତଜମାଟ ବନ୍ଧା ମଧ୍ୟରେ ସମ୍ପର୍କ ଥିବା କଥା ସୁସ୍ପଷ୍ଟ, କିନ୍ତୁ, ଏହାର ପ୍ରତ୍ୟକ୍ଷ କାରଣ ଜଣାପଡ଼ିନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଆଷ୍ଟ୍ରାଜେନିକା କୋଭିଡ୍‌-୧୯ ଟିକାର ଏଭଳି ପାର୍ଶ୍ୱ ପ୍ରତିକ୍ରିୟାର ସଂକ୍ରାନ୍ତରେ ଆସିଥିବା ରିପୋର୍ଟର ଅଧ୍ୟୟନ କରୁଛି।

The post ପିଲାଙ୍କ ଦେହରେ କୋଭିଡ୍‌-୧୯ ଟିକା ପରୀକ୍ଷା ସ୍ଥଗିତ ରଖିଲା ଅକ୍ସଫୋର୍ଡ first appeared on Sambad.

from କରୋନା | Sambad https://ift.tt/3fSF3Wj