ଦୈନିକ ସଂକ୍ରମଣ ଶହେ ଟପିଲା: ଖଣ୍ଡଗିରିରୁ ୧୨, ରସୁଲଗଡ଼ରୁ ୭, ପୁରୁଣା ଭୁବନେଶ୍ବରରୁ ୬

ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଅର୍ଥାତ ଗତ ବର୍ଷ ନଭେମ୍ବର ମାସ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥି ମଧ୍ୟରୁ ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୦୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀବାସୀଙ୍କ ମନରେ ଗତବର୍ଷର ଭୟ ଖେଳି ଯାଇଛି। ସବୁଠୁ ଚିନ୍ତାର ବିଷୟ ହେଉଛି ମୋଟ୍ ୧୦୧ ଆକ୍ରାନ୍ତଙ୍କ ମଧ୍ୟରେ ୮୦ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୨୧ଜଣ ସଙ୍ଗରୋଧରେ ଥିବା ଆକ୍ରାନ୍ତ। ସ୍ଥାନୀୟ ସଂକ୍ରମିତ ୮୦ଜଣଙ୍କ ମଧ୍ୟରୁ ୧୨ଜଣ ଖଣ୍ଡଗିରି ଅଞ୍ଚଳର, ୭ଜଣ ରସୁଲଗଡ଼, ୬ଜଣ ପୁରୁଣା ଭୁବନେଶ୍ବର। ସେହିଭଳି ନୂଆପଲ୍ଲୀ, ପଟିଆ ଓ ସହିଦନଗରରୁ ୫ ଜଣ ଲେଖାଏଁ ବାହାରିଛନ୍ତି।
ଏହାବାଦ୍ ‌ବହୁ ଅଞ୍ଚଳରୁ ଜଣେରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ଆଜିର ୧୦୧ ଆକ୍ରାନ୍ତଙ୍କୁ ମିଶାଇଲେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୫ରେ ପହଞ୍ଚିଛି।

୧୯୨୯ ନମ୍ବରରେ ମିଳିବ ଡାକ୍ତରୀ ପରାମର୍ଶ
ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ କିଛି ଲକ୍ଷଣ ନଥିଲେ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଉଛି। ତେଣୁ ଆକ୍ରାନ୍ତ ଓ ଆକ୍ରାନ୍ତଙ୍କ ପରିବାର ଚିନ୍ତାରେ। କେତେବେଳେ କେଉଁ ଔଷଧ ଖାଇବେ, କ’ଣ ଲକ୍ଷଣ ଦେଖାଦେଲେ ଚିନ୍ତାର ବିଷୟ, କ’ଣ ହେଲେ ଡରିବେନି, କିପରି ହସ୍ପିଟାଲକୁ ଯିବେ; ଏନେଇ ୨୪ଘଣ୍ଟା ପରାମର୍ଶ ଦେବାକୁ ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ଅପରେସନ୍ ସେଣ୍ଟରରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଯେକେହି ବି ୧୯୨୯ ନମ୍ବରରେ ଫୋନ୍‌ କରି ଡାକ୍ତରୀ ପରାମର୍ଶ ପାଇପାରିବେ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏବେ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୫ ଛୁଇଁଥିବା ବେଳେ ପ୍ରତିଦିନ ୫୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି। ସମସ୍ତଙ୍କୁ ପ୍ରଥମେ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଉଛି। ତେଣୁ ଲୋକ ଘରେ ରହି ଯେପରି ଗୁଣାତ୍ମକ ଚିକିତ୍ସା ପାଇବେ, ସେଥିପାଇଁ ୧୯୨୯ ନମ୍ବର ଜାରି କରାଯାଇଛି। ଏଥିରେ ଫୋନ୍‌ କଲେ କମ୍ୟୁନିଟି ମେଡିସିନ୍‌ ବିଶେଷଜ୍ଞଙ୍କ ପରାମର୍ଶ ମିଳିବ। କିପରି ଜଣେ ଆକ୍ରାନ୍ତ ଖାଦ୍ୟ ଖାଇବେ, କ’ଣ ଔଷଧ ଖାଇବେ, କ’ଣ କରିବା ଦରକାର, କ’ଣ କରିବେନି ସେନେଇ ସମସ୍ତ ପରାମର୍ଶ ଦିଆଯାଉଛି। ଏପରିକି ଜଣେ ଆକ୍ରାନ୍ତ କେଉଁ ପରିସ୍ଥିତିରେ ହସ୍ପିଟାଲକୁ ସ୍ଥାନାନ୍ତର ହେବା ଦରକାର ତାହା କୁହାଯାଉଛି। ତେଣୁ ଲୋକ ଭୟଭୀତ ନହୋଇ ଘରେ ରହି ଔଷଧ ଖାଇ ସୁସ୍ଥ ହୁଅନ୍ତୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଇଏସ୍‌ଆଇ ହସ୍ପିଟାଲରୁ ୨ ପଜିଟିଭ୍

ଇଏସ୍‌ଆଇ ହସ୍ପିଟାଲରୁ ଆଜି ୨ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ସେମାନେ ହସ୍ପିଟାଲରେ ଆଡମିଟ୍‌ ଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ଲକ୍ଷଣ ପ୍ରକାଶ ପାଇବାରୁ ପରୀକ୍ଷା କରାଯାଇଥିଲା ଓ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ହସ୍ପିଟାଲରେ ସଂକ୍ରମିତ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଆବଶ୍ୟକ ପଦେକ୍ଷପ ଗ୍ରହଣ କରିଛନ୍ତି। ରୋଗୀ ଥିବା ୱାର୍ଡକୁ ସାନିଟାଇଜ୍ କରାଯାଇଛି। ଯଦିଓ ହସ୍ପିଟାଲ କର୍ତ୍ତୃପକ୍ଷ ଆଡମିସନ୍ ପୂର୍ବରୁ କୋଭିଡ ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି, ମାତ୍ର ଆବଶ୍ୟକ ସଂଖ୍ୟକ କିଟ୍ ଅଭାବରୁ ରୋଗୀମାନଙ୍କୁ ପରୀକ୍ଷା ସମ୍ଭବ ହୋଇପାରୁ ନଥିବା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଷ୍ଟେସନରୁ ବାହାରିଲେଣି ୫ ଆକ୍ରାନ୍ତ

ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ ଆଦି ୬ଟି ରାଜ୍ୟକୁ ଓଡ଼ିଶା ସରକାର ରେଡ୍‌ ଜୋନ୍ ଘୋଷଣା କରିଛନ୍ତି। ଏହି ସବୁ ରାଜ୍ୟରୁ ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କର ଭୁବନେଶ୍ବର ରେଳ ଷ୍ଟେସନରେ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଛି। ଏପରିକି ସନ୍ଦେହ ହେଉଥିବା ଯାତ୍ରୀ ଓ ଲକ୍ଷଣ ଥିବା ଯାତ୍ରୀଙ୍କ‌ ଆଣ୍ଟିଜେନ୍ ପରୀକ୍ଷା ପାଇଁ ଷ୍ଟେସନ‌ରେ ବ୍ୟବସ୍ଥା କରାଯାଇଛି। ଫଳରେ ଗତ ୫ଦିନରେ ୫ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ୨ଜଣ ଓ ରବିବାର ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରେଳ ଷ୍ଟେସନରେ ବିମାନବନ୍ଦର ଭଳି କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ ହେଉନଥିବାରୁ ଅଧିକରୁ ଅଧିକ ଯାତ୍ରୀଙ୍କର କୋଭିଡ୍‌ ପରୀକ୍ଷା କରିବା ସମ୍ଭବ ହେଉନି।

The post ଦୈନିକ ସଂକ୍ରମଣ ଶହେ ଟପିଲା: ଖଣ୍ଡଗିରିରୁ ୧୨, ରସୁଲଗଡ଼ରୁ ୭, ପୁରୁଣା ଭୁବନେଶ୍ବରରୁ ୬ first appeared on Sambad.

from କରୋନା | Sambad https://ift.tt/2Q0aK59

Post a Comment

0 Comments