ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବୁଧବାର ଦିନ ୧୪୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ରାତିରେ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତ ଏପ୍ରିଲ୍‌ ୭, ୮ ଓ ୯ ତାରିଖରେ ଆର୍‌ଟିପିସିଆର ଟେଷ୍ଟରେ ୯୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଓ କୃଷି ବିଦ୍ୟାଳୟରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି। ଅଧିକରୁ ଅଧିକ କରୋନା ରୋଗୀ କିଭଳି ଚିକିତ୍ସିତ ହୋଇପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଧର୍ମଗଡ଼: କରୋନା ମୁକାବିଲା ପାଇଁ କଟକଣା ଲଗାଇବ ବ୍ୟବସାୟୀ ସଂଘ
ଧର୍ମଗଡ଼ : ଧର୍ମଗଡ଼ ସହର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଧର୍ମଗଡ଼ ବ୍ୟବସାୟୀ ସଂଘର ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ ଆଗାମୀ ଶନିବାର ଓ ରବିବାର ୨ଦିନ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଆସନ୍ତା ସୋମବାର ଠାରୁ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ଦିନ ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜନସାଧାରଣଙ୍କ ସୁବିଧା ଓ ସୂଚନା ପାଇଁ ମାଇକ୍‌ ଯୋଗେ ଘୋଷଣା କରାଯିବ ଓ ଏହି ୨ଦିନ ସହରକୁ ସମ୍ପୂର୍ଣ ସଟ୍‌ଡାଉନ୍‌ କରିବାପାଇଁ ପ୍ରଶାସନକୁ ଅନୁରୋଧ କରାଯିବ। ଏହି ୨ଦିନ ସମସ୍ତେ ଘରେ ରହିବା, ନିହାତି ଜରୁରୀ ନହେଲେ ବାହାରକୁ ନବାହାରିବା ପାଇଁ କୁହାଯାଇଛି। ଏନେଇ ସଂଘ ସଭାପତି ବିଦ୍ୟାଧର ସାହୁ ସୂଚନା ଦେଇଛନ୍ତି।

The post କଳାହାଣ୍ଡି ଜିଲ୍ଲାରେ ପୁଣି ୧୪୦ ଜଣ ପଜିଟିଭ୍‌ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3e6FhGM