ଜବଲପୁର: ଗୋଟିଏ ଭୁଲ ପାଇଁ କରୋନା ଟିକାର ଦୁଇଟି ଡୋଜ ନେବା ପରେ ବି କରୋନା ସଂକ୍ରମିତ ହେଲେ ମହିଳା ଡାକ୍ତର | ମଧ୍ୟପ୍ରଦେଶର ଜବଲପୁର ସରକାରୀ ଗାନ୍ଧୀ ମେଡିକାଲ କଲେଜର ଜଣେ ବରିଷ୍ଠ ମହିଳା ଡାକ୍ତର କୋଭିଡ -୧୯ ଟିକା ଗ୍ରହଣ କରିବା ସତ୍ତ୍ୱେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଡାକ୍ତରଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ଟିକା ନେବା ପରେ ଡାକ୍ତର ଭାବିଥିଲେ ଯେ ଏଣିକି ଆଉ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ | ଏହା ପରେ ସେ ଆଉ ମାସ୍କ ପିନ୍ଧିନଥିଲେ ଏବଂ ଏହି ଅସାବଧାନତା କାରଣରୁ ଟିକାକରଣ ସତ୍ତ୍ୱେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ |

ମିଳିଥିବା ସୂଚନା ମୁତାବକ ୪୮ ବର୍ଷୀୟ ଡାକ୍ତର ୧୬ ଜାନୁଆରୀରେ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ | ଆଉ ଦ୍ୱିତୀୟ ଡୋଜ ମାର୍ଚ୍ଚ ୧ରେ ନେଇଥିଲେ | ଟିକା ନେବା ପରେ ଆଉ ମାସ୍କ ପିନ୍ଧିନଥିଲେ | ତେବେ ଟିକା ନେବାର କିଛି ଦିନ ପରେ ଅସୁସ୍ଥତା ଅନୁଭବ କରିବା ପରେ ମାର୍ଚ୍ଚ ୧୦ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଆଉ ଅନୁସନ୍ଧାନ ସମୟରେ ଡାକ୍ତର ଜଣକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା |

ବର୍ତ୍ତମାନ ତାଙ୍କୁ ​​୧୪ ଦିନ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି | ସୂଚନା ଥାଉ କି ମଧ୍ୟପ୍ରଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଶନିବାର ଦିନ ରାଜ୍ୟରେ ୬୦୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୭,୮୫୧ ରେ ପହଞ୍ଚିଛି। ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି, ଏହା ପରେ ମୃତ୍ୟୁ ସଂଖ୍ୟା ୩୮୮୫ କୁ ବୃଦ୍ଧି ପାଇଛି।

The post କରୋନା ଟିକାର ଦୁଇଟି ଡୋଜ ନେବା ପରେ ବି କରୋନା ସଂକ୍ରମିତ ହେଲେ ମହିଳା ଡାକ୍ତର first appeared on Sambad.



from କରୋନା – Sambad https://ift.tt/3vylOXE