ପାରଳାଖେମୁଣ୍ତି : କରୋନା ପାଇଁ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ଦେଶରେ କଟକଣା ଆରମ୍ଭ ହୋଇଥିଲା। ଲୋକେ କିଛି ଭାବିବା ପୂର୍ବରୁ ଗୃହବନ୍ଦୀ ହୋଇ ରହିବାକୁ ନିୟମ ଲାଗିଲା। କାମଧନ୍ଦା ବନ୍ଦ ହେଲା। ଯାତାୟାତ ଠପ୍ ହୋଇ ଯାଇଥିଲା। ହଠାତ୍ ରୋଜଗାର ହରାଇ ସଧାରଣ ଲୋକେ ବିଚଳିତ ହୋଇ ପଡ଼ିଥିଲେ। ଗଜପତି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି ଆକ୍ଳାନ୍ତ ପରିଶ୍ରମ ଜାରି ରଖିଥିଲା। ତେବେ କରୋନାର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ପ୍ରାଶାସନିକ କଟକଣା ଓ ସରକରଙ୍କ ଘନ ଘନ ସଚେତନତା ସତ୍ତ୍ବେ କରୋନାରେ ଆକ୍ରାନ୍ତ ହୋଇ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରାନ୍ତ ସଂଖ୍ୟା ୩ ହଜାରରୁ ଅଧିକ ହେଲାଣି।
ଅନେକ ଗରିବ ଶ୍ରେଣୀର ଲୋକ ସେମାନଙ୍କ ଜୀବିକା ହରାଇଥିଲେ। ବ୍ୟବସାୟୀଙ୍କ ରୋଜଗାର ଠପ୍ ହୋଇ ଯାଇଥିଲା। ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ। ଶତାଧିକ ପ୍ରବାସୀ କାମଧନ୍ଦା ହରାଇ ଭଟିମାଟିକୁ ଫେରି ଆସିଥିଲେ। ଜିଲ୍ଲା ପ୍ରଶାସନର ଅକ୍ଳାନ୍ତ ପରିଶ୍ରମ ପାଇଁ ଗଜପତି ଜିଲ୍ଲା ଅନ୍ୟ ଜିଲ୍ଲା ଅପେକ୍ଷା ବିଶେଷ କ୍ଷତିଗ୍ରସ୍ତ ହୋଇ ନଥିଲା। କରୋନାରେ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକା ଆକ୍ରାନ୍ତ ହୋଇଥିବା ବେଳେ ଜିଲ୍ଲାପାଳ ଅନୁପମ ଶାହା ମଧ୍ୟ ଆକ୍ରାନ୍ତ ହୋଇ ୪୫ ଦିନ ଛୁଟିରେ ଥିଲେ। ପୂର୍ବତନ ନଗରପାଳ ପିନିଣ୍ଟି କ୍ରିଷ୍ଣା, ସମାଜସେବୀ ମୀନିକ୍ଷୀ ସାହୁ, ସାମ୍ବାଦିକ କେସିଏଚ୍‌ ରତନମ୍‌ ଓ ନବିନା ନନ୍ଦ ଗନ୍ତାୟତଙ୍କ ପରି କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଥିଲେ।
ତେବେ ଜିଲ୍ଲାପାଳ ଅନୁପମ ଶାହାଙ୍କ ନେତୃତ୍ବ ସାଙ୍ଗକୁ ଜିଲ୍ଲାର ସମସ୍ତ ପ୍ରାଶାସନିକ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଆଶା, ସଫେଇ କର୍ମୀ, ପୁଲିସ ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରିଲା। ସେଥିପାଇଁ ସେମାନେ ସମସ୍ତେ କୃତଜ୍ଞତାର ପାତ୍ର ବୋଲି କହିଛନ୍ତି ମେଡିକାଲ୍ କଲେଜ୍ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ।

The post ଗଜପତିରୁ କରୋନା ନେଇଛି ୪୦ ମୁଣ୍ଡ, ୩ ହଜାର ଟପିଲେଣି ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3bL2NJy