
ନୂଆଦିଲ୍ଲୀ: ନିଜର ପେଟପାଟଣା ପାଇଁ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ସରକାର କୋଭିଡ୍ ଟିକାକରଣ ପ୍ରାଥମିକତାରେ ସାମିଲ କରିବା ପାଇଁ କିଛି ବ୍ୟବସ୍ଥା କରିପାରିବେ କି ବୋଲି ଆଜି ଏକ ବିରଳ ପ୍ରଶ୍ନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଉତ୍ତର ରଖି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ ସରକାର ସମ୍ପ୍ରତି ବିଶ୍ବସ୍ତରରେ ଗୃହୀତ ମାନଦଣ୍ଡ ଅନୁଯାୟୀ ସର୍ବାଧିକ ସଂକ୍ରମଣକ୍ଷମ ହିତାଧିକାରୀଙ୍କର ପ୍ରଥମେ ଟିକାକରଣ କରୁଛନ୍ତି। ଏଥିରେ ଅଧିକ ମୃତ୍ୟୁହାର ଆଶଙ୍କା ରହିଥିବା ବୟସ୍କ ଏବଂ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେଣୁ ଜଣେ ଅଶିକ୍ଷିତ ହେଉ ବା ବୈଜ୍ଞାନିକ ହେଉ, ବୟସକୁ ହିଁ ମାନଦଣ୍ଡ ନିଆଯାଇଛି।
ଅପରପକ୍ଷେ, ବାସ୍ତବରେ ନିଜର ରୋଜଗାର ପାଇଁ ସର୍ବସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା ଓକିଲମାନଙ୍କର ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେମାନଙ୍କୁ ଏ ଦିଗରେ ଆଶ୍ବାସନା ଦେବା ଉଚିତ ବୋଲି ପ୍ରଧାନ ବିଚାରପତି ଏସ୍ ଏ ବୋବଡ଼େଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ପ୍ରସ୍ତାବ ରଖିଥିଲେ। ମାତ୍ର ଜଣେ ୩୫ ବର୍ଷୀୟ ଓକିଲ ଓ ଜଣେ ସମବୟସ୍କ ପରିବା ବିକାଳି ମଧ୍ୟରେ କିଏ ଅଧିକ ସଂକ୍ରମଣକ୍ଷଣ କିପରି ନିର୍ଦ୍ଧାରଣ କରିହେବ ବୋଲି ମେହଟା ପ୍ରଶ୍ନ କରିବା ସହ ଆଗକୁ ସାମ୍ବାଦିକମାନେ ମଧ୍ୟ ଅନୁରୂପ କାରଣ ପାଇଁ ପ୍ରାଥମିକତା ଦାବି କରିବେ ବୋଲି କହିଥିଲେ। ତେବେ ସର୍ବୋପରି ଜୀବିକା ନିର୍ବାହ ପାଇଁ ସାଧାରଣ ଲୋକଙ୍କ ସହ ନିହାତି ମିଶିବାକୁ ବାଧ୍ୟ ହେଉଥିବା ଲୋକଙ୍କ ପାଇଁ ସରକାର କିଛି କରିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ। ତେବେ ସଂପୃକ୍ତ ବର୍ଗ ଏଭଳି ପ୍ରାଥମିକତା ପାଇଁ ନିବେଦନ କରନ୍ତୁ। ସରକାରଙ୍କ ଟିକାକରଣ ଯୋଜନା କେବଳ ବିଶେଷଜ୍ଞମାନଙ୍କ ଦ୍ବାରା ପରିଚାଳିତ ହେଉଛି, ସେମାନେ ହିଁ ଯାହା କିଛି ନିର୍ଦ୍ଧାରଣ କରିବେ ବୋଲି ମେହଟା କହିଥିଲେ।
The post ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ଜୀବିକା ପାଇଁ ଜନସାଧାରଣଙ୍କୁ ଭେଟୁଥିବା ପେସାଧାରୀଙ୍କୁ ଟିକା ପ୍ରାଥମିକତା ମିଳିବ କି? first appeared on Sambad.from କରୋନା | Sambad https://ift.tt/3ttN2wy
0 Comments