
ରାଉରକେଲା : ଠିକ୍ ବର୍ଷକ ପୂର୍ବେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅବଶ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ବର୍ଷ ପୂର୍ତ୍ତିକୁ ଆହୁରି ୧ ମାସ ଅଛି, କାରଣ ଏପ୍ରିଲ ୧୨ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ତେବେ ଗତ ୧୧ ମାସରେ ସୁନ୍ଦରଗଡ଼ ଜିଲ୍ଲା ଯେଉଁ କରୋନା ବିଭୀଷିକା ଦେଖିଛି, ହୁଏତ ତାହା ଅନ୍ୟ କୌଣସି ଜିଲ୍ଲାରେ ଦେଖିବାକୁ ମିଳିନଥିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ଦୈନିକ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ କିନ୍ତୁ ଏହି ସଂଖ୍ୟା ସର୍ବାଧିକ ରହିଥିଲା, ଯାହାକି ଏବେ ବି ବଳବତ୍ତର ରହିଛି। ରାଉରକେଲା ସେକ୍ଟର-୧୬ର ଜଣେ ଝାଡ଼ଖଣ୍ଡ ଫେରନ୍ତା ୯୫ ବର୍ଷର ଆକ୍ରାନ୍ତ ‘ସୁପର୍ ସ୍ପ୍ରେଡର୍ ହୋଇ ପ୍ରାୟ ଶହେରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବାଠାରୁ ଆରମ୍ଭ କରି ସୀମାନ୍ତ ଜରୈକେଲା, ବୀରମିତ୍ରପୁର ଦେଇ ଝାଡ଼ଖଣ୍ଡ ଲୋକଙ୍କ ଅବାଧ ପ୍ରବେଶ ହେଉ, ସବୁଥିରେ ଜିଲ୍ଲା ପ୍ରଶାସନର ଚରମ ଅବହେଳା ପଦାରେ ପଡ଼ିଯାଇଥିଲା।
ଏବେ ବି ଜିଲ୍ଲାରେ କରୋନା ମୃତ୍ୟୁର ପ୍ରକୃତ ପରିସଂଖ୍ୟାନକୁ ନେଇ ଏବେ ବି ଦ୍ବନ୍ଦ ଲାଗିରହିଛି। ଜିଲ୍ଲାରେ ନିର୍ଦ୍ଦିଷ୍ଟ କେତେ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ତାର ପ୍ରକୃତ ସଂଖ୍ୟା ନେଇ ଏବେ ବି ବିତର୍କ ଜାରି ରହିଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ଜିଲ୍ଲାରେ ଆଜି ପର୍ଯ୍ୟନ୍ତ(୧୪ ମାର୍ଚ୍ଚ ଯାଏଁ) ମୋଟ୍ ୧୫,୮୭୬ ଜଣ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୫,୬୧୦ ଜଣ ସୁସ୍ଥ ହୋଇଥିବାବେଳେ ୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିମଧ୍ୟରୁ ୧୭୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏଠାରେ ପ୍ରଶ୍ନ ଉଠେ, ସତରେ କଣ ମାତ୍ର ୧୭୩ ଜଣ ହିଁ ମୃତ୍ୟୁବରଣ କରିଛନ୍ତି? ଗୋଟିଏ ସ୍ତରରେ ସନ୍ଦେହ କରା ଯାଉଛି ଯେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ଉପରେ। ଇସ୍ପାତ ସହରରେ ଯେ କୌଣସି କାରଣରୁ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ପ୍ରାୟତଃ ବେଦବ୍ୟାସ ଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ। ରାଉରକେଲାରେ ବିଗତ ବର୍ଷଗୁଡ଼ିକରେ ବାର୍ଷିକ ପ୍ରାୟ ୨୫/୧୬ ଶହ ଲୋକଙ୍କର ଅନ୍ତିମ ସଂସ୍କାର ବେଦବ୍ୟାସରେ କରାଯାଉଥିଲା। ତେବେ ଏଥର(ମାର୍ଚ୍ଚ ୧୩ ଯାଏଁ) ୩୬୦୧ ଜଣକଙ୍କ ଅନ୍ତିମ ସଂସ୍କାର ଏଠାରେ ସଂପନ୍ନ ହୋଇଛି। ଅର୍ଥାତ୍, ପୂର୍ବ ତୁଳନାରେ ଏଥର ପ୍ରାୟ ୧,୦୦୦ ଅଧିକ ମୃତ୍ୟୁ ହୋଇଛି। ଏଠାରେ ପ୍ରଶ୍ନ ଉଠେ, ପୂର୍ବ ବର୍ଷ ତୁଳନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧,୦୦୦ ଲୋକ ମୃତ୍ୟୁବରଣ କଲେ କେମିତି? କରୋନା ପାଇଁ ହିଁ ଏଥର ଅଧିକ ସଂଖ୍ୟକ ମୃତ୍ୟୁ ହୋଇଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି।
The post କରୋନା ବିଭୀଷିକା : ସୁନ୍ଦରଗଡ଼ ଜିଲ୍ଲାରେ ୧୧ ମାସରେ ମୃତ୍ୟୁ ସଂଖ୍ୟା ୩୦୦ ଉପରେ! first appeared on Sambad.
from କରୋନା – Sambad https://ift.tt/3qMSdG7
0 Comments