
ଭୁବନେଶ୍ବର : ଟିକା ନାହିଁ, ଔଷଧ ନାହିଁ। କୋଭିଡ ଚିକିତ୍ସା କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ଚାଲେଞ୍ଜ ଥିଲା। ଗତବର୍ଷ ମାର୍ଚ୍ଚ ମାସରେ ବିଧାନସଭା ବଜେଟ୍ ଅଧିବେଶନ ଚାଲୁଥିବାରୁ ସଦସ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ସରକାରଙ୍କ ପାଇଁ ବଡ଼ ଆହ୍ବାନ ଥିଲା। ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ସାନିଟାଇଜର ବ୍ୟବହାର ଆଦି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାରି କରିଥିବା ପ୍ରତିହତ ନିର୍ଦ୍ଦେଶାବଳୀ କିପରି ଅନୁପାଳନ ହେବ, ସେଥିପାଇଁ ମହାମାରୀ ଆଇନରେ ସଂଶୋଧନ କରିବା ଆବଶ୍ୟକ ପଡ଼ିଲା। ଗତବର୍ଷ ମାର୍ଚ୍ଚ ୧୩ ତାରିଖରେ କୋଭିଡ୍-୧୯ ନିୟନ୍ତ୍ରଣ ବିଲ୍ ୨୦୨୦ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ଆଗତ କରିଥିଲେ। ଚର୍ଚ୍ଚା ପରେ ଗୃହରେ ଏହି ବିଲ୍ଟି ପାରିତ ହୋଇଥିଲା। ବିଧାୟକ ଓ ବିଧାୟିକାମାନଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ୨୦୨୦ ମାର୍ଚ୍ଚ ୧୪ ତାରିଖରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୨୯ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପରେ ମାର୍ଚ୍ଚ ୩୧ ତାରିଖରେ ଗୋଟିଏ ଦିନ ପାଇଁ ସଚିବାଳୟର ନୂଆ କନ୍ଭେନ୍ସନ୍ ହଲରେ ଅଧିବେଶନ ଡକାଯାଇ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରି ବିଲ୍କୁ ଅନୁମୋଦନ ଦିଆଯାଇଥିଲା।
କରୋନା ମହାମାରୀ ପାଇଁ ସଟ୍ ଡାଉନ୍ ଓ ଲକ୍ଡାଉନ୍ ଯୋଗୁ ଆଉ ବିଧାନସଭା ଆହୁତ ହୋଇପାରିଲାନି। ଧୀରେ ଧୀରେ ଲକ୍ ଡାଉନ୍ କଟକଣା କେନ୍ଦ୍ର ସରକାର କୋହଳ କରିବା ପରେ ବିଧାନସଭା ସଚିବାଳୟ ଓ ସରକାର ବିଧାନସଭା ବୈଠକ ଡାକିବାକୁ ଚିନ୍ତା କଲେ। କିନ୍ତୁ ସଦସ୍ୟମାନଙ୍କ ଭିତରେ ସମାଜିକ ଦୂରତା କିପରି ରକ୍ଷା ହୋଇପାରିବ। ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିଥିଲା। ବିଧାନସଭା କକ୍ଷରେ ସଦସ୍ୟମାନଙ୍କ ଭିତରେ ନିରାପଦ ଦୂରତା ରକ୍ଷା ନେଇ ବାଚସ୍ପତି ଓ ସଦସ୍ୟମାନଙ୍କ ଟେବୁଲ୍ରେ ସ୍ବତନ୍ତ୍ର ଫାଇବର କାଚ ଲଗାଗଲା। ବିଧାନସଭା କକ୍ଷ ସମେତ ଦର୍ଶକ ଗ୍ୟାଲେରୀରେ ସଦସ୍ୟମାନଙ୍କ ପାଇଁ ଆସନ ବ୍ୟବସ୍ଥା କରାଗଲା। ଯାହାକି ଏବେ ବି ବଳବତ୍ତର ରହିଛି। ସାମାଜିକ ଦୂରତା ରକ୍ଷା ପାଇଁ ଲୋକସେବା ଭବନରେ କେତେକ ବିଧାୟକ ବସୁଥିବାବେଳେ ଖାରବେଳ ଭବନରେ ଅଧିକାରୀମାନେ ବସୁଥିଲେ। ବିଧାନସଭା ପ୍ରେସ୍ ଗ୍ୟାଲେରିକୁ ଏପର୍ଯ୍ୟନ୍ତ ବି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରବେଶ ଅନୁମତି ମିଳିନାହିଁ। ମହାମାରୀ ଭିତରେ ଗତ ବର୍ଷ ସେପ୍ଟେମ୍ବରରେ ମୌସୁମୀ ଅଧିବେଶନ ଓ ନଭେମ୍ବରରରେ ଶୀତ ଅଧିବେଶନ ବସିଥିଲା। ସାମାଜିକ ଦୂରତା ରକ୍ଷା ପାଇଁ ସମାନ ନିୟମ ଅନୁପାଳନ କରାଯାଇ ଚଳିତ ବର୍ଷ ବଜେ୍ଟ୍ ଅଧିବେଶନ ବି ଜାରି ରହିଛି।
The post କରୋନାକୁ ବର୍ଷେ : ମହାମାରୀ ପାଇଁ ଅଧାରୁ କାଣ୍ଟ୍ଛାଣ୍ଟ୍ ହୋଇଥିଲା ବିଧାନସଭା ବଜେଟ୍ ଅଧିବେଶନ first appeared on Sambad.
from କରୋନା – Sambad https://ift.tt/3lgd5V0
0 Comments