
ଭୁବନେଶ୍ବର : ରାଜ୍ୟରେ କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ନିରାକରଣ ପାଇଁ ରାଜ୍ୟ ସରକାର ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଅନ୍ତୁ ବୋଲି ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ କରୋନା ଯେତିକି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିନି ସବୁଠୁ ଅଧିକ ଉଦ୍ବେଗଜନକ ସ୍ଥିତି ଭୁବନେଶ୍ବରରେ ସୃଷ୍ଟି ହେଲାଣି। କାରଣ ମାର୍ଚ୍ଚରେ ୬ଦିନରେ ୪୨ଜଣ ଆକ୍ରାନ୍ତ ଭୁବନେଶ୍ବରରୁ ବାହାରିଲେଣି। ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।
ମାର୍ଚ୍ଚରେ ଦିନକୁ ହାରାହାରି ୭ଜଣ ଆକ୍ରାନ୍ତ ସୃଷ୍ଟି ହେବା ଚିନ୍ତାର କାରଣ ପାଲଟିଛି। ଏପରିକି ଫେବ୍ରୁଆରିରେ ୨୮ଦିନରେ ୧୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଫେବ୍ରୁଆରିରେ ଦିନକୁ ହାରାହାରି ୪ଜଣ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମାର୍ଚ୍ଚରେ ମାସ ଆରମ୍ଭରୁ ହାରାହାରି ୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ବିଏମ୍ସିର ଚିନ୍ତା ବଢ଼ାଇ ଦେଇଛି।
ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ରାଜଧାନୀରେ ଦୈନିକ ପ୍ରାୟ ୬୦୦ ଜଣଙ୍କର କରୋନା ପରୀକ୍ଷା ହେଉଛି। କ୍ୟାପିଟାଲ ହସ୍ପିଟାଲ ସମେତ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୨୨ଟି ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଆର୍ଟିପିସିଆର୍ ଓ ଆଣ୍ଟିଜେନ୍ ପରୀକ୍ଷା ହେଉଥିବାବେଳେ ବାକି ସ୍ଥାନରେ ଆଣ୍ଟିଜେନ୍ ପରୀକ୍ଷା ହେଉଛି। ଯାହାର ବି କୌଣସି ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆସି କୋଭିଡ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଉଥିବାବେଳେ ଆଣ୍ଟଜେନ୍ ପରୀକ୍ଷା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେଉଛି। ଏଠାରେ ଯାତ୍ରୀଙ୍କର କରୋନା ପରୀକ୍ଷା କରି ସଙ୍ଗେସଙ୍ଗେ ରିପୋର୍ଟ ଦିଆଯାଉଛି। ଏବେ ଭୁବନେଶ୍ବର ରେଳ ଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂ ହେଉଛି। ସବୁ ପ୍ରକାରର ପରିସ୍ଥିତିକୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚରେ ଦୁଇ ଥର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮୩ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୩୨୦୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୧୬୮୦ଜଣ ସୁସ୍ଥ ହୋଇସାରିଲେଣି। ୨୪୯ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।
The post ଚିନ୍ତା ବଢ଼ାଉଛି ମାର୍ଚ୍ଚ; ରାଜଧାନୀ ଭୁବନେଶ୍ୱରରେ ୬ଦିନରେ ୪୨ ଆକ୍ରାନ୍ତ, ଜଣେ ମୃତ first appeared on Sambad.
from କରୋନା – Sambad https://ift.tt/2Ou0wJw
0 Comments