ନୂଆଦିଲ୍ଲୀ : କରୋନା ସଂକ୍ରମଣ ଲଗାତାର ବଢ଼ିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅଧିକ ସତର୍କ ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୮ ରାଜ୍ୟ ତଥା ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୋଆ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ, ଚଣ୍ଡିଗଡ଼ର ୬୩ଟି ଜିଲ୍ଲା ବେପରୁଆ ହୋଇଯାଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ବଢ଼ୁଥିଲେ ସୁଦ୍ଧା ଏଠାରେ ୩ ‘ଟି’ (ଟେଷ୍ଟ୍‌, ଟ୍ରାକ୍‌ , ଟ୍ରିଟ୍‌) ନୀତି ଉପରେ ଗୁରୁତ୍ବ ଦିଆଯାଉନାହିଁ। ୩ ‘ଟି’ ରଣନୀତିରେ କାମ କରିବାପାଇଁ କେନ୍ଦ୍ର ସରକାର ଏବେ ସଂପୃକ୍ତ ରାଜ୍ୟମାନଙ୍କୁ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ନିତି ଆୟୋଗ ସଦସ୍ୟ ଡ. ବିନୋଦ କେ ପଲ୍‌ ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୋଆ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ , ଦିଲ୍ଲୀ ଏବଂ ଚଣ୍ଡିଗଡ଼ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ କରିଥିଲେ। ବୈଠକରେ ରାଜ୍ୟମାନଙ୍କୁ ଟେଷ୍ଟିଂ ବଢ଼ାଇବା ସହ ରୋଗୀମାନଙ୍କୁ ଟ୍ରାକ୍‌ କରିବା ଏବଂ ଚିକିତ୍ସା ଉପ‌ରେ ଗୁରୁତ୍ବ ‌ଦେବାକୁ କୁହାଯାଇଛି। ୬୩ ଜିଲ୍ଲାରେ କୋଭିଡ୍‌ ଟେଷ୍ଟ୍‌ ବହୁତ କମ୍‌ ରହିଛି ଏବଂ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉନାହିଁ। ସେହିପରି ସାପ୍ତାହିକ ପଜିଟିଭ୍‌ ହାର ମଧ୍ୟ ବହୁତ ଅଧିକ ରହୁଛି। ଏହା ପଡ଼ୋଶୀ ରାଜ୍ୟମାନଙ୍କ ପାଇଁ ମଧ୍ୟ ବିପଦ ବଢ଼ାଉଛି। ଏହି ୬୩ଟି ଜିଲ୍ଲାରୁ ଦିଲ୍ଲୀରେ ୯ଟି, ହରିୟାଣାରେ ୧୫, ଆନ୍ଧ୍ରପ୍ରଦେଶରେ ୧୦, ଓଡ଼ିଶାରେ ୧୦, ହିମାଚଳପ୍ରଦେଶରେ ୯, ଉତ୍ତରାଖଣ୍ଡରେ ୭, ଗୋଆରେ ୨ ଏବଂ ଚଣ୍ଡିଗଡ଼ରେ ଗୋଟିଏ ରହିଛି।

ଅନ୍ୟପକ୍ଷେ ପଂଜାବ ଏବଂ ମହାରାଷ୍ଟ୍ରରେ ସଂକ୍ରମଣ ରୋକିବା ଦିଗରେ କାର୍ଯ୍ୟ କରିବାପାଇଁ କେନ୍ଦ୍ର ସରକାରଙ୍କର ଏକ ଟିମ୍‌ ଯାଇ ପହଞ୍ଚିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସହଯୋଗ କରିବାପାଇଁ ଏହି ଟିମ୍‌ ମୁତୟନ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ପଂଜାବରେ ଏବେ ୬,୬୬୧ ସକ୍ରିୟ ମାମଲା ଥିବାବେଳେ ମହାରାଷ୍ଟ୍ରରେ ୯୦,୦୫୫ ସକ୍ରିୟ ମାମଲା ରହିଛି। କେନ୍ଦ୍ରୀୟ ଟିମ୍‌ ପ୍ରଥମେ ପଂଜାବ ଏବଂ ମହାରାଷ୍ଟ୍ରର ହଟ୍‌ସ୍ପଟ୍‌ ଅଞ୍ଚଳ ବୁଲିବେ। ତେବେ ପଂଜାବର ଜଲନ୍ଧରରେ ସଂକ୍ରମଣ ଅଚାନକ ବଢ଼ିବାରୁ ଜଳନ୍ଧର ପ୍ରଶାସନ ଆଜିଠାରୁ ଜିଲ୍ଳାରେ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି। ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି ହେବ ବୋଲି ଘୋଷଣା ହୋଇଛି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୩୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା‌ ବେଳେ ୧୦୮ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧,୧୧,୯୨,୦୮୮କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୧,୫୭,୬୫୬ ରହିଛି।

The post କୋଭିଡ ସଙ୍କଟ: ୬୩ ଜିଲ୍ଲା ବେପରୁଆ, ଓଡ଼ିଶାର ୧୦ ଜିଲ୍ଲା ସାମିଲ first appeared on Sambad.



from କରୋନା – Sambad https://ift.tt/3v1rrNO