
ଯାଜପୁର: ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ପାଞ୍ଜି ପାଠ କରାଯାଇଛି। ବର୍ଷ ତମାମ ଯାହା ଘଟିବ ତାହା ପାଞ୍ଜିରେ ଉଲ୍ଲେଖ କରାଯାଇଛି। ଏଥିର ପାଞ୍ଜି ଗଣନାରେ ଆଶ୍ୱସ୍ତି କରିଲା ପରି ଭବିଷ୍ୟତବାଣୀ ଆସିଛି। ଏବର୍ଷ ମହାମାରୀ କରୋନା ପ୍ରକୋପ କମିବା ସହ ଦେଶ ଓ ରାଜ୍ୟରେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇବ, ହେଲେ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତର ସମ୍ଭାବନା ଅଛି ବୋଲି ପାଞ୍ଜିରେ ଗଣନା କରାଯାଇଛି।
ଏବର୍ଷ ଦୂରେଇ ଯିବ କରୋନା । ପଣା ସଂକ୍ରାନ୍ତି ପରେ ପରେ ଧୀରେ ଧୀରେ ଦେଶ ଓ ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିବ। ଦୋଳ ପୂଣ୍ଣିମାରେ ବିରଜାଙ୍କ ଜ୍ୟୋତିଷ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବିରଜା ପାଞ୍ଜିରେ ଏପରି ଗଣନା କରାଯାଇଛି। ସେବକ ଜ୍ୟୋତିଷମାନଙ୍କ ଦ୍ୱାରା ବହୁ ପୁରାତନ କାଳରୁ ମା ବିରଜାଙ୍କର ନୂଆ ପାଞ୍ଜି ଦୋଳ ପୂଣ୍ଣିମାରେ ପାଠ କରାଯାଇ ଆସୁଅଛି । ୧୨ଟି ରାଶିର ଗ୍ରହ ନକ୍ଷତ୍ର ଚଳନ ସହ ଦେଶ ଓ ରାଜ୍ୟର ଭବିଷ୍ୟତ ଗଣନା କରାଯାଏ। ଦୋଳ ପୂଣିମାରେ ମା ବିରଜାଙ୍କ ବିଜେ ପ୍ରତିମାଙ୍କୁ ଦୋଳ ମଣ୍ଡପରେ ସୂତନ୍ତ୍ର ପୂଜାର୍ଚ୍ଚନା କରାଯାଇ ସେବାୟତମାନେ ବିରଜା ପାଞ୍ଜି ପଠନ କରିଥାନ୍ତି । ଆଉ ସେହି ପାଞ୍ଜିର ଭବିଷ୍ୟତବାଣୀ ଅନୁସାରେ ଏଥର ଦେଶର ସ୍ୱାସ୍ଥ୍ୟ ଭଲ ରହିବା ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ। ଏହା ସହ ଦେଶ ଓ ରାଜ୍ୟ ଶାସନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ କି ରାଜନୈତିକ ଅସ୍ଥିରତାର ସମ୍ଭାବନା ନାହିଁ ।
କେବଳ ସେତିକି ନୁହଁ ବିରଜା ପାଞ୍ଜିର ଭବିଷ୍ୟତ ଗଣନା ଅନୁସାରେ ୧୨ଟି ରାଶି ମଧ୍ୟରୁ ମେଷ, ମିଥୁନ, କନ୍ୟା ଓ ବିଛା ରାଶିରେ ଶୁଭ ଫଳ ଥିବା ବେଳେ ଅନ୍ୟ ରାଶିରେ ସେତେଟା ଭଲ ନଥିବା କୁହାଯାଇଛି । ହେଲେ ପାଞ୍ଜି ଗଣନାରେ ମଧ୍ୟ ଏବର୍ଷ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତ ସହ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ପଣା ସଂକ୍ରାନ୍ତିରେ ମା ବିରଜାଙ୍କ ଏହି ନୂତନ ପାଞ୍ଜି ପ୍ରଚଳିତ କରାଯିବ। ପାଞ୍ଜି ପଠନ ସମୟରେ ମନ୍ଦିର ସେବାୟତ, ଜ୍ୟୋତିଷ, ଶ୍ରଦ୍ଧାଳୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଯାଜପୁର ଜିଲ୍ଲା ସମେତ କିଛି ପଡ଼ୋଶୀ ଜିଲ୍ଲାରେ ମା ବିରଜାଙ୍କ ପାଞ୍ଜି ପ୍ରଚଳିତ ହୋଇଥାଏ।
The post ବିରଜା ପାଞ୍ଜିର ଭବିଷ୍ୟବାଣୀ: ପଣା ସଂକ୍ରାନ୍ତି ପରେ ଦେଶ ଓ ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିବ first appeared on Sambad.from କରୋନା | Sambad https://ift.tt/3rvaBDR
0 Comments