ଏକ୍ସଆଇଏମବି ପରେ ବିଏମସିର ଦ୍ୱିତୀୟ ସିଲ
ଆଇଆଇଟି କ୍ୟାମ୍ପସରେ ୧୦ ଆକ୍ରାନ୍ତ
ଏନଆଇଟି ରାଉରକେଲାରୁ ବାହାରିଲେ ଆଉ ୪ ଆକ୍ରାନ୍ତ

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ପଶୁଛି କରୋନା। ଆଜି ରାଜ୍ୟର ୩ଟି ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ବାହାରିବା ପରେ ପ୍ରଶାସନ ନିଦ ହଜିଯାଇଛି। କିଭଳି ଭାବେ ଏହାର ମୁକାବିଲା କରାଯିବ, ସେନେଇ ଜିଲ୍ଲାସ୍ତରରେ ପଦକ୍ଷେପ ନିଆଯାଇଛି। ଏକାଥରେ ୨୦ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ବାହାରିବା ପରେ ଭୁବନେଶ୍ୱ ମୈତ୍ରୀବିହାରସ୍ଥିତ ଆଲେନ୍ ଇନ୍‌ଷ୍ଟିଚ୍ୟୁଟକୁ ସିଲ୍‌ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏହି ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍ କରିବା ସହ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍ କରାଗଲା। ଏହି କୋଚିଂ ସେଣ୍ଟର୍‌, ଏହାର ହଷ୍ଟେଲ/ମେସ୍‌ ଭିତରକୁ କେହି ଯାଇପାରିବେ ନାହିଁ। ଏହା ଭିତରୁ କେହି ବାହାରି ପାରିବେ ନାହିଁ। କେବଳ ବିଏମ୍‌ସିର ସ୍ୱୀକୃତିପ୍ରାପ୍ତ କର୍ମଚାରୀ ଏହା ଭିତରକୁ ଯା’ ଆସ କରିପାରିବେ। ଆକ୍ରାନ୍ତ ବ୍ୟତୀତ ଯଦି ଆଉ କୌଣସି ଛାତ୍ରଛାତ୍ରୀଙ୍କଠାରେ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନମୁନା ପରୀକ୍ଷା କରିବା ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ଆବଶ୍ୟକ ପଡ଼ିଲେ, ଆକ୍ରାନ୍ତଙ୍କୁ ମେଡିକାଲକୁ ନିଆଯିବ। ଏଥିସହ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଛି।

ବିଏମସି ଉତ୍ତର ଜେଡିସି ପୁରନ୍ଦର ନନ୍ଦ କହିଛନ୍ତି ଯେ ପୂର୍ବରୁ ୨୫୦ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ୯ଜଣ ଛାତ୍ରଛାତ୍ରୀ ୪ଟି ହଷ୍ଟେଲରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ ହୋଇଥିଲା। ସେମାନଙ୍କୁ ହଷ୍ଟେଲରେ ରଖାଯାଇ ଡାକ୍ତର ଟିମ୍ ଯୋଗାଇ ଦିଆଯାଇଛି। ବାକି ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ପଜିଟିଭ୍ ସଂଖ୍ୟା ଜଣାପଡ଼ିବ। ଭୟଭୀତ ହେବାର ଆବଶ୍ୟକ ନାହିଁ। ଏକ୍ସଆଇଏମବି ପରେ ଏହା ଦ୍ୱିତୀୟ ଶିକ୍ଷାନୁଷ୍ଠାନ, ଯାହାକୁ ସିଲ କରାଯାଇଛି। ଶିକ୍ଷାନୁଷ୍ଠାନରେ ପର୍ଯ୍ୟାୟକ୍ରମେ ପିଲାଙ୍କ କରୋନା ଟେଷ୍ଟ କରାଯାଉଛି ବୋଲି ସେ କହିଛନ୍ତି। ସେପଟେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ୮ଦିନ ହେଲା ସେଣ୍ଟର ବନ୍ଦ ଥିଲା। ଅନ୍‌ଲାଇନ୍‌ରେ ପିଲାଙ୍କ କ୍ଲାସ ଚାଲିଛି। ବିଏମ୍‌ସି ପକ୍ଷରୁ ଟେଷ୍ଟିଂ କରାଯିବା ପରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ପୁଣି କରୋନା ଆକ୍ରାନ୍ତ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ କ୍ୟାମ୍ପସକୁ ବାହାରୁ ଆସିଥିବା ଛାତ୍ରଛାତ୍ରୀ, ଅତିଥି ଅଧ୍ୟାପକଙ୍କ ଉପରେ ନଜର ରଖାଯାଇଥିଲା। କିଛି ଦିନ ତଳେ ଜଣେ ଛାତ୍ରଙ୍କଠାରେ ଲକ୍ଷଣ ଦେଖାଦେବାରୁ ତାଙ୍କ ସାମ୍ପଲ ଟେଷ୍ଟ ପରେ କରୋନା ପଜିଟିଭି ବାହାରିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ୪୦ ରୁ ୪୫ଜଣଙ୍କ ନମୁନା ସଂଗ୍ରହ କରାଯାଇ ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଶେଷ ଖବର ସୁଦ୍ଧା ୧୦ଜଣ କାରୋନା ପଜିଟିଭିରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କୁ ଅଲଗା ସଙ୍ଗରୋଧରେ ରଖାଯାଇଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିଛି।

ସେହିପରି ଏନଆଇଟି ରାଉରକେଲାରେ ଆଉ ୪ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ୩ଜଣ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କୁ ମିଶାଇ ଏବ‌େ ସୁଦ୍ଧା ୭ଜଣ ଆକ୍ରାନ୍ତ ହେଲେଣି।

The post ଶିକ୍ଷାନୁଷ୍ଠାନରେ ମାଡୁଛି କରୋନା : ଆଲେନ୍ ଇନ୍‌ଷ୍ଟିଚ୍ୟୁଟ ସିଲ୍‌ first appeared on Sambad.

from କରୋନା | Sambad https://ift.tt/39mnSZf