ଭୁବନେଶ୍ବର: କରୋନା ସଂକ୍ରମଣ ଜାରି ରହିଥିବା ବେଳେ ରାଜ୍ୟ ସରକାର ବୁଧବାର ଏପ୍ରିଲ୍‌ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନୂଆ ମାର୍ଗଦର୍ଶିକା ଅନୁସାରେ ଏଣିକି  କରୋନା ସଂକ୍ରମିତ ବହୁଳ ଅଂଚଳକୁ ଚିହ୍ନିତ କରି କଣ୍ଟେନମେଣ୍ଟ ଜୋନ୍ ବା ଅବରୋଧ ଅଞ୍ଚଳ କିମ୍ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ। ନୂତନ ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କ୍ଷମତା  ଜିଲ୍ଲାପାଳ ଓ ପୌର ପ୍ରଶାସନକୁ ଦିଆଯାଇଛି। ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମଣ ଚିହ୍ନଟ ହେବ ତାହାକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା ନିଷ୍ପତ୍ତି ନେଇପାରିବେ  ସ୍ଥାନୀୟ ପ୍ରଶାସନ । ସେହିଭଳି ଧର୍ମାନୁଷ୍ଠାନ ଭିତରକୁ କେତେ ଜଣ ଶ୍ରଦ୍ଧାଳୁ ଯିବେ ଓ  ଧାର୍ମିକ କାମରେ କେତେ ଜଣ ସାମିଲ ହୋଇପାରିବେ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରିବ।

ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କାରେ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମାସକ ପୂର୍ବରୁ ବିବାହ ଭୋଜିରେ ୫୦୦ ଲୋକଙ୍କୁ ସାମିଲ୍ ଅନୁମତି ଦିଆଯାଇଥିଲା। ଏହି ସଂଖ୍ୟାକୁ ମାର୍ଚ୍ଚ ମାସରେ ପୁଣି ୨୦୦କୁ ଖସାଇ ଦିଆଯାଇଥିଲା ଓ ଚଳିତମାସରେ ତାହା ବଳବତ୍ତର ରହିଛି। ଏହା ସହ ଏପ୍ରିଲରେ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୩୧ ତାରିଖରେ ଏହି ମାର୍ଗଦର୍ଶିକା ଜାରି ହୋଇଛି ଓ ଏହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ।

ଏସ୍ଆର‌ସିଙ୍କ ନିର୍ଦ୍ଦେଶନାମାରେ କେବଳ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି। ଅନ୍ୟ କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ। ଏଥିରେ ସ୍ପଷ୍ଟ କରାଯାଇଛି ଯେ କୌଣସି ହଲ୍‌ରେ ବିବାହ ଭୋଜି ହେଲେ ହଲ୍‌ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ। ଖୋଲା ଜାଗାରେ ବିବାହ ଭୋଜି କରାଗଲେ, ଜାଗାର ଆକାରକୁ ଦେଖି ଅନୁମତି ଦିଆଯିବ। ତେବେ ତାହା ୨୦୦ରୁ ଅଧିକ ହେବ ନାହିଁ। ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଆୟୋଜକ ସମସ୍ତ ବନ୍ଦୋବସ୍ତ ନିଶ୍ଚିତ କରାଇବେ। ସବୁ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର୍‌ ଓ ପୁଲିସ୍‌ କମିସନର୍‌ କୋଭିଡ୍‌ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହାର କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

The post ଏପ୍ରିଲ ପାଇଁ ମାର୍ଗଦର୍ଶିକା ଜାରି : କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ‘କଣ୍ଟେନମେଣ୍ଟ ଜୋନ୍’ ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ first appeared on Sambad.

from କରୋନା | Sambad https://ift.tt/3dlifvF