ଭୁବନେଶ୍ବର: ବର୍ତ୍ତମାନ ପରି‌ପ୍ରେକ୍ଷୀରେ ରାଜ୍ୟରେ ଦିନକୁ ୧ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨ ଲକ୍ଷକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ପରିପୂରଣ ଲାଗି ଅଧିକ ପରିମାଣର ଟିକାର ପ୍ରଯୋଜନ ରହିଛି। ଏପରି ସ୍ଥଳେ ଆବଶ୍ୟକ ସଂଖ୍ୟକ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପତ୍ର ଲେଖିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳ‌ୟର ସଚିବଙ୍କୁ ଲେଖିଥିବା ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଟିକାଯୋଗାଣରେ ରାଜ୍ୟ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ପାତରଅନ୍ତ କରାଯିବା ଉଚିତ ନୁହେଁ।

ରାଜ୍ୟରେ ତାପମାତ୍ରାକୁ ଦୃଷ୍ଟିରେ ରଖି ଦିନକୁ ଅତିକମରେ ୨ ଲକ୍ଷ ଲୋକଙ୍କୁ କରୋନା ଟିକା ଦେବା ପାଇଁ ପ୍ରସ୍ତୁତି କରାଯାଇଛି। ତେଣୁ ଆଗାମୀ ୧୫ ଦିନ ମଧ୍ୟରେ ଆବଶ୍ୟକ ଟିକା ଯୋଗାଇ ଦିଆଯାଇ ପାରିଲେ ଟିକାକରଣ କରିବାକୁ ସୁବିଧା ହୋଇପାରିବ। ରାଜ୍ୟରେ ଆବଶ୍ୟକ ପରିମାଣରେ କରୋନା ଟିକା ମହଜୁଦ ନଥିବାରୁ ଆଗାମୀ ୧୫ ଦିନର ଟିକାକରଣ ପାଇଁ ଯୋଜନା ପ୍ରସ୍ତୁତି ହୋଇପାରି ନାହିଁ। କିଛି ରାଜ୍ୟକୁ ଆବଶ୍ୟକ ଟିକା ଯୋଗାଇ ଦିଆଯାଇ ପାରିଥିବାରୁ ଦିନକୁ ୩ ଲକ୍ଷ ପର୍ଯ୍ୟନ୍ତ ଟିକାକରଣ ହୋଇପାରୁଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଟିକା ଯୋଗାଣରେ ପାତରଅନ୍ତର ନୀତି ଅନୁଚିତ ବୋଲି ସୂଚିତ କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୨୦ ଲକ୍ଷ ଡୋଜ୍‌ କରୋନା ଟିକା ଦିଆଯାଇସାରିଛି। ଏହି ଟିକା ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ନିର୍ଦ୍ଧିଷ୍ଟ ବୟସ ବର୍ଗର ଲୋକଙ୍କୁ ଦିଆଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖଠାରୁ ୪୫ ବର୍ଷ ଓ ତା’ଠାରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ଟିକା ଦିଆଯିବ। ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ପ୍ରାୟ ୧ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ।

The post କେନ୍ଦ୍ରକୁ ରାଜ୍ୟର ଚିଠି : ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ମଧ୍ୟରେ ପାତରଅନ୍ତର କରାଯିବା ଉଚିତ ନୁହେଁ first appeared on Sambad.

from କରୋନା | Sambad https://ift.tt/3tW8wlZ