ନୂଆଦିଲ୍ଲୀ : ୨୦୨୦, ମାର୍ଚ୍ଚ ୨୫ ତାରିଖରେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ହୋଇଥିଲା। ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ୨୪ ତାରିଖରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଲକ୍‌ଡାଉନ୍‌ ଯୋଗୁଁ ୧୩୦ କୋଟି ଲୋକ କଠୋର କଟକଣା ମଧ୍ୟ‌ରେ ରହିଥିଲେ। ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଥିଲା। ସଂକ୍ରମଣ ବଢ଼ି ଚାଲିବାରୁ ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ଜାରି ରହିଥିଲା। ଆସନ୍ତାକାଲି ଲକ୍‌ଡାଉନ୍‌କୁ ବର୍ଷେ ପୂରୁଥିବା ବେଳେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ ଜାରି ହେବାଭଳି ସ୍ଥିତି ଉପୁଜିଲାଣି। ଲଗାତାର ଦେଶରେ ସଂକ୍ରମଣ ବଢ଼ି ଚାଲିଛି ଏବଂ ଦୈନିକ ସଂକ୍ରମଣ ଏବେ ୫୦ ହଜାର ମୁହାଁ ହୋଇଛି। ଗତକାଲି ଗୋଟିଏ ଦିନରେ ଦେଶରେ ସର୍ବାଧିକ ୪୭,୨୬୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୩୨ ଦିନରେ ଏହା ସର୍ବାଧିକ ସଂକ୍ରମଣ। ଗତବର୍ଷ ନଭେମ୍ବର ୧୨ ତାରିଖରେ ଶେଷ ଥର ପାଇଁ ସଂକ୍ରମଣ ମାମଲା ୪୭,୯୦୫ ଥିଲା। ତେବେ ୧୪ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ିଚାଲିଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୭,୩୪,୦୫୮ ପହଞ୍ଚିଛି। ସକ୍ରିୟ ମାମଲା ମଧ୍ୟ ୩,୬୮,୪୫୭କୁ ବୃଦ୍ଧି ପାଇଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ୨୭୬ ଜଣଙ୍କ କୋରନାରେ ମୃତ୍ୟୁ ହୋଇଛି। ଏହା ଚଳିତ ବର୍ଷର ସର୍ବାଧିକ କରୋନା ମୃତ୍ୟୁ। ସଂକ୍ରମଣ ବଢ଼ିବାରୁ ଦେଶରେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଦେଶରେ ଏଯାବତ୍‌ ୫ କୋଟିରୁ ଅଧିକ ଲୋକ ଟିକା ନେଲେଣି। ମୋଟ୍‌ ୫,୦୦,୭୫,୧୬୨ ଜଣ ଟିକା ନେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ଟିକା କୋଭିସିଲ୍‌ଡ ସଂପୂର୍ଣ୍ଣ ନିରାପଦ ଏବଂ ଭାରତରେ ଏହି ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କଠାରେ ବ୍ଲଡ୍‌ କ୍ଲଟିଂ ମାମଲା ଦେଖିବାକୁ ମିଳିନାହିଁ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ କୋଭିଡ୍‌ ମୃତ୍ୟୁର ଶିକାର ହୋଇଥିବା ୮୮% ଲୋକଙ୍କ ବୟସ ୪୫ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ପଂଜାବରେ ଲଗାତାର ସଂକ୍ରମଣ ବୃଦ୍ଧି ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ୨ଟି ରାଜ୍ୟର ସଂକ୍ରମଣ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୩୧ ହଜାରରୁ ଅଧିକ ନୂଆ ମାମଲା ଆସିଛି। ଅନ୍ୟପକ୍ଷେ ପଂଜାବର ଜନସଂଖ୍ୟା ତୁଳନାରେ ମାତ୍ରାଧିକ ସଂକ୍ରମଣ ମାମଲା ରହୁଛି। ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଛତିଶଗଡ଼ ଏବଂ ଚଣ୍ଡିଗଡ଼ରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଦେଶରେ ୧୦ଟି ଜିଲ୍ଲା ପୁନେ, ନାଗପୁର, ମୁମ୍ବାଇ, ଥା‌ନେ, ନାଶିକ, ଔରଙ୍ଗାବାଦ୍‌, ବେଙ୍ଗାଲୁରୁ ଅର୍ବାନ୍‌, ଜଲ୍‌ଗାଓଁ, ଅ କୋଲାରେ ସକ୍ରିୟ ମାମଲା ବଢ଼ୁଛି। ଏଥି ମଧ୍ୟରୁ ୯ଟି ଜିଲ୍ଲା ମହାରାଷ୍ଟ୍ରରେ ଥିବାବେଳେ ଗୋଟିଏ ଜିଲ୍ଲା କର୍ଣ୍ଣାଟକରେ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦ୍ବିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଆଜି ଗୋଟିଏ ଦିନରେ ମୁମ୍ବାଇରେ ସଂକ୍ରମଣ ମାମଲା ୫ ହଜାର ୬୭ ରହିଛି। ଦିଲ୍ଲୀରେ ବି ଦିନକରେ ୧ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି।

The post ଲକ୍‌ଡାଉନ୍‌କୁ ବର୍ଷେ: ଦୈନିକ ସଂକ୍ରମଣ ୫୦ ହଜାର ମୁହାଁ, ମହାରାଷ୍ଟ୍ର, ପଂଜାବରେ ସଂକ୍ରମଣ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ first appeared on Sambad.

from କରୋନା | Sambad https://ift.tt/3sn43bD